ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ର, ହରିୟାଣା, ଏବଂ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ତିନି ରାଜ୍ୟର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିପାରନ୍ତି । ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏହି ତିନି ରାଜ୍ୟରେ ଏକା ସାଙ୍ଗରେ ନିର୍ବାଚନ ହେବନି । ଶୁକ୍ରବାର ଦିନ ନିର୍ବାଚନ ଆୟୋଗ ସମ୍ଭବତଃ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ମହାରାଷ୍ଟ୍ର ଏବଂ ହରିୟାଣାରେ ଏକା ସାଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ରହିଥିବାବେଳେ ଝାରଖଣ୍ଡ ବିଧାନସଭା ନିର୍ବାଚନ ଅଲଗା ହେବ । ତେବେ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ମହାରାଷ୍ଟ୍ରରେ ଆସନ ବୁଝାମଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି । ରାଜ୍ୟରେ ବିଜେପି ଓ ଶିବସେନା ମେଣ୍ଟ ନିର୍ବାଚନ ରଣାଙ୍ଗନ ଓହ୍ଲାଇବାକୁ ଥିବାବେଳେ ଆସନ ବୁଝାମଣାକୁ ନେଇ ସହମତି ହୋଇପାରିନାହିଁ । ଶିବସେନାକୁ ୧୪୪ ଆସନ ନ ମିଳିଲେ ବିଜେପି ସହ ମେଣ୍ଟ ଭାଙ୍ଗି ଦେବେ ବୋଲି ଶିବେସନାର ସଞ୍ଜୟ ରାଉତ କହିଛନ୍ତି ।