ଉତ୍ତରପ୍ରଦେଶର ହମୀରପୁର, ଛତିଶଗଡ଼ର ଦାନ୍ତେଓ୍ବାଡା, କେରଳ ପାଲା, ତ୍ରିପୁରାର ବାଦରଘାଟ ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣନା ଆରମ୍ଭ ହୋଇଯାଇଛି । ୟୁପିର ହମୀରପୁର୍ ଓ ସୁମେରପୁରସ୍ଥିତ କୃଷିଭବନ ମଣ୍ଡି ପରିସରରେ ଏହି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆସନରୁ ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ ଜଣାପଡିବ । ହମୀରପୁର୍ ଆସନ ପାଇଁ ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ହୋଇଥିବାବେଳେ ୫୧ ପ୍ରତିଶତ ଭୋଟିଂ ହୋଇଥିଲା । ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ଦାନ୍ତେଓ୍ବାଡା ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ୬୦.୧ ପ୍ରତିଶତ ମତଦାନ ହୋଇଥିଲା । ହମୀର୍ପୁର ଆସନ ପାଇଁ ବିଜେପି ତରଫରୁ ବିଜେପିର ଯୁବରାଜ ସିଂ, ବସପାର ନୌସାଦ ଅଲ୍ଲୀ, ସପା ର ମନୋଜ କୁମାର ପ୍ରଜାପତି ଓ କଂଗ୍ରେସ ତରଫରୁ ହର ଦୀପକ ନିଷାଦଙ୍କ ସମେତ ୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏହି ଉପନିର୍ବାଚନରେ ବିରୋଧୀର ଦଳର କୌଣସି ବଡ଼ ନେତା ପ୍ରଚାର କରିନଥିଲେ । କିନ୍ତୁ ବିଜେପି ପ୍ରାର୍ଥୀଙ୍କ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଥିଲେ । ସେହିପରି କେରଳର ପାଲା ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନରେ ୧୩ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ଏଠାରେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କେରଳ କଂଗ୍ରେସ (ଏମ୍)ର ନେତା କେଏମ୍ ମଣିଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହିପରି ତ୍ରିପୁରାର ବାଦାରଘାଟ ଆସନରେ ବିଜେପି ବିଧାୟକ ଦିଲ୍ଲୀପ ସରକାରଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏହି ୪ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାଲା ଆସନର ଉପନିର୍ବାଚନରେ ୭୧.୪୩ ପ୍ରତିଶତ ଓ ବାଦରଘାଟରେ ୭୯.୨୯ ପ୍ରତିଶତ ମତଦାନ ହୋଇଥିଲା ।