ବିହାରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ରବିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୫ଟି ଜିଲାକୁ ରେଡ଼ ଆଲର୍ଟ ଜାରି କରିଥିବା ବେଳେ ୧୦ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ହେବା କାରଣରୁ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି କିଛି ଜିଲାର ସ୍କୁଲ ଓ ଅଙ୍ଗନବାଡ଼ିକୁ ଆଗାମୀ ୨ ଦିନ ପାଇଁ ବନ୍ଦ ରଖାଯାଇଛି। ସେହିଭଳି ବିହାରକୁ ଆସୁଥିବା ଓ ଯାଉଥିବା କିଛି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଏନଡ଼ିଆରଏଫ ଓ ସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ବନ୍ୟା ଯୋଗୁ ଗତ ୨ ଦିନ ମଧ୍ୟରେ ୭୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶନିବାର ରାଜ୍ୟରେ ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ଏବଂ ମହାରାଷ୍ଟ୍ରରେ ଲଗାତାର ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବନ୍ୟା ଜଳ ଘେରରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଅସ୍ଥାୟୀ ଶିବିରରେ ବନ୍ୟା ବିପନ୍ନଙ୍କୁ ରିଲିଫ୍ ଏବଂ ରନ୍ଧା ଖାଦ୍ୟ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାରକାରୀ ଦଳଙ୍କୁ ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ସଜାଗ ରଖାଯାଇଛି।