ସମୀକ୍ଷା ବ୍ୟୁରୋ
ପବିତ୍ର ନବରାତ୍ର ପ୍ରତିପଦ ତିଥିରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅଭ୍ୟର୍ଥନା କମିଟି’ ତରଫରୁ ଭିନ୍ନ ଧରଣର ନବରାତ୍ର ପୂଜା କରାଯାଇଛି। ସାଧାରଣତଃ ନବରାତ୍ର ପୂଜାରେ ନଅ ଜଣ ଦେବୀଙ୍କୁ ପୂଜା କରାଯାଇଥାଏ। ହେଲେ ଆର୍ଯ୍ୟ ସମାଜରେ ପ୍ରତିବର୍ଷ ଦେବୀ ଭାବେ ନଅ ଜଣ ମହିଳାଙ୍କୁ ପୂଜା କରାଯାଉଛି। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବାମହିଳାମାନଙ୍କୁ ସମାଜ ବାଛି ଏହି ପୂଜାରେ ବସାଇଥାନ୍ତି। ଚଳିତ ବର୍ଷ ସମାଜସେବୀ ବାସନ୍ତୀ ପାଣି, ଶିକ୍ଷାବିତ୍ କ୍ଷୀରୋଦ୍ରା ପରିଜା, ଚିକିତ୍ସିକା ଡାକ୍ତର ନାରାୟଣୀ ପଣ୍ଡା, ଅଭିନେତ୍ରୀ ଝରଣା ଦାସ, ସୁଗୃହିଣୀ କୁନ୍ତଳ କୁମାରୀ ସାମନ୍ତରାୟ, କୃଷି କ୍ଷେତ୍ରରେ ଶାନ୍ତିଲତା ରାଉଳ, ଶିଳ୍ପୀ ଶ୍ରୀମତୀ କନକଲତା ମହାନ୍ତି ଓ ସାହିତ୍ୟିକା ଡଃ ଇନ୍ଦିରା ପଟ୍ଟନାୟକଙ୍କୁ ଅଭିନନ୍ଦିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନବମାତୃକା ପୂଜା ଅଭ୍ୟର୍ଥନା କମିଟିର ସଭାପତି ସାତକଡି଼ ହୋତା ଶୁଭାରମ୍ଭ କରିଥିଲା ବେଳେ କମିଟିର ଆବାହିକ ଡଃ ଶକୁନ୍ତଳା ବଳିଆରସିଂହ ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ଅଭିନନ୍ଦିତ ମା’ମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ । ବେଦ ବିଦୁଷୀ ଶନ୍ନୋଦେବୀ, ଶ୍ରୀଯୁକ୍ତ ବୀରେନ୍ଦ୍ର କର, ଶ୍ରୀମତୀ ଲିତା ଦାସ ଆର୍ଯ୍ୟବର୍ତ୍ତ ଭାରତ ବର୍ଷରେ ବୈଦିକ ସଂସ୍କୃତି ସମ୍ବନ୍ଧରେ ସୂଚନା ଦେବା ସଙ୍ଗେ ସଙ୍ଗେ ଯଜ୍ଞାନୁଷ୍ଠାନ କରିଥିଲେ ଓ ଶିଳ୍ପୀ କେଶୁ ଦାସ ଏବଂ ତାଙ୍କ ଧର୍ମପତ୍ନୀ କନକଲତା ଦାସ ଯଜ୍ଞରେ କର୍ତ୍ତା ରୂପେ ଯଜ୍ଞାହୂତି ଦେଇଥିଲେ ।