ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ରାଜ୍ୟରେ ବର୍ଷା ଜାରି ରହିବ । ଏହା ସହ ଆଜି ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପୂର୍ବାନୁମାନ କରି ସନ୍ଧ୍ୟା ୬ଟା ସୁଦ୍ଧା ୯ଟି ଜିଲ୍ଲାକୁ ସତର୍କ ରହିବା ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଘଡଘଡି ସହ ବର୍ଷା ହେବା ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବା ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ସମ୍ବଲପୁର ଏବଂ ମୟୂରଭଞ୍ଜ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା,ବାଲେଶ୍ୱର ଓ ମୟୁରଭଞ୍ଜ ରହିଛି।