ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ପକ୍ଷରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟରେ 125 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କ ସମେତ ମହାରାଷ୍ଟ୍ର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ଙ୍କ ନାମ ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ନାଗପୁରରୁ ଫଡନବିସ୍ ପ୍ରାର୍ଥୀ ହୋଇଥିବା ବେଳେ ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କୁ କୋଥ୍ରୁଡ୍ରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଧାୟକ ରହିଥିବା 50 ଜଣ ପ୍ରାର୍ଥୀଙ୍କୁ ବିଜେପି ପକ୍ଷରୁ ଟିକେଟ ପ୍ରଦାନ କରାଯାଇଛି । ଦଳରେ ଯୋଗ ଦେଇଥିବା ଦୁଇ କଂଗ୍ରେସ ବିଧାୟକ ହର୍ଷବର୍ଦ୍ଧନ ପାଟିଲ୍ ଏବଂ ରାଧାକ୍ରିଷ୍ଣ ଭିଖେ ପାଟିଲଙ୍କୁ ମଧ୍ୟ ଟିକେଟ ମିଳିଛି । ମାତ୍ର ଦଳର ବରିଷ୍ଠ ନେତା ଏକନାଥ ଖଡ୍ସେ ଏବଂ ବିନୋଦ ତାଓ୍ବଡେଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକଟ ମିଳିନାହିଁ । ଆସନ୍ତା ଅକ୍ଟୋବର 21 ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।