ସମୀକ୍ଷା ବ୍ୟୁରୋ
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଦୁଇଟି ବିଶ୍ବ ରେକର୍ଡ ହାସ କରିଛି। ପ୍ରଥମଟି ହେଲା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଯୁବ ଛାତ୍ରଛାତ୍ରୀମାନେ କରିଥିବା ସାମୁହିକ ସ୍ବଚ୍ଛ ଭାରତ ଅଭିଜାନ। ଗୋଟିଏ ସ୍ଥାନରେ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ “ପରିବେଶ ସୁରକ୍ଷା ଶିକ୍ଷା” ପ୍ରଦାନ କରାଯାଇ ପ୍ରଥମ ବିଶ୍ୱରେକର୍ଡ ପ୍ରତିଷ୍ଠା କରାଯାଇଥିଲା । ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ଏହି ବିଶ୍ୱ ରେକର୍ଡରେ ଅଂଶ ଗ୍ରହଣ କରିଥିଲେ । ଅପରପକ୍ଷରେ “ଗୋଟିଏ ସ୍ଥାନରେ ମିଳିତ ଭାବେ ସୌର ଆଲୋକ ଜଳାଇବା” ବର୍ଗରେ ଦ୍ୱିତୀୟ ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଥିଲା । ଏଥିରେ ୫ ହଜାରରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡସର ଅଧିକାରୀଙ୍କ ଦ୍ୱାରା ପରବର୍ତୀ ସମୟରେ ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ନିଜ ହାତ ଓ ହୃଦୟରୁ ସୌର ଲଣ୍ଠନ ପ୍ରସ୍ତୁତ କରିଛନ୍ତି। ଜୀବନ କାଳ ମଧ୍ୟରେ ଅତିକମରେ ୭ଟି ବୃକ୍ଷ ରୋପଣ କରି ନିଜସ୍ୱ ଅମ୍ଳଜାନ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ମଧ୍ୟ ସେ ଆହ୍ୱାନ କରିଥିଲେ। ୭୯ଟି ରାଷ୍ଟ୍ର ଅନ୍ତର୍ଜାତୀୟ ସୌର ମେଂଟର ସଦସ୍ୟ ହୋଇଥିବା ନେଇ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।