ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଦ୍ରୁତତମ ଭାରତୀୟ ଭାବରେ ନିଜକୁ ନିଜକୁ 350 ଓ୍ବିକେଟ୍ କ୍ଲବ୍ରେ ସାମିଲ କରିଥିବା ଅଶ୍ବିନ୍ ନିଜକୁ କିମ୍ବଦନ୍ତୀ ଅଫ୍ ସ୍ପିନର ମୁଥେୟା ମୁରଲୀଧରନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ମୁରଲୀଧରନ 66 ଟି ଟେଷ୍ଟରେ ଏହି ସଫଳତା ହାସଲ କରିଥିବା ବେଳେ ଅଶ୍ବିନ୍ ମଧ୍ୟ ସମାନ ସଂଖ୍ୟକ ଟେଷ୍ଟରେ 350 ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଭାରତୀୟ ସ୍ପିନର ଅନୀଲ କୁମ୍ବଲେ 77 ଟେଷ୍ଟରୁ 350 ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଅଶ୍ବିନ୍ ଏହି ମ୍ୟାଚ୍ରେ କୁମ୍ବଲେଙ୍କୁ ଅତିକ୍ରମ କରିଛନ୍ତି । ଏହା ସହିତ 66 ମ୍ୟାଚ୍ରୁ ସର୍ବାଧିକ 27ଥର 5 ଓ୍ବିକେଟ ସଫଳତା ହାସଲ କରିଛନ୍ତି ଅଶ୍ବିନ୍ । ଏହି ମ୍ୟାଚ୍ ପୂର୍ବରୁ ଅଶ୍ବିନ୍ 342 ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ପ୍ରଥମ ଇନିଂସରେ 7ଟି ଏବଂ ଦ୍ବିତୀୟ ଇନିଂସରେ ଗୋଟିଏ ଓ୍ବିକେଟ ଅକ୍ତିଆର କରି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ଅଶ୍ବିନ୍ ।