
ସମୀକ୍ଷା ବ୍ୟୁରୋ
ବେଶ୍ କିଛିଦିନ ଧରି ରିଲାଏନସ ଜିଓ ମାଗଣା ସେବା ଯୋଗାଇବା ପରେ ଏବେ ପଇସା ଦେବାକୁ ଆରମ୍ଭ କଲା ଯୋଜନା। ତେବେ ସବୁବେଳେ ନୁହେଁ। ଯଦି ଆପଣ ଜିଓ ଫୋନରୁ ଅନ୍ୟ କୌଣସି କଂପାନୀ ଫୋନକୁ ଫୋନ କଲେ ଗଣିବେ ପଇସା। ପ୍ରତି ଏକ ମନିଟରେ 6 ପଇସା ପଡିବ ବୋଲି ଆଜି ଜିଓ ତରଫରୁ ଘୋଷଣା କରାଯାଇଛି। ତେବେ ଜିଓ ଚାଲାକ କରି ଏହି ପଇସାରେ ଆପଣଙ୍କୁ ଡାଟା ଯୋଗାଇବ ବୋଲି କହିଛି। ଅର୍ଥାତ ଆପଣ ଅନ୍ୟ ମୋବାଇଲ ସେବା କଂପାନୀ ଫୋନକୁ ଫୋନ କଲେ ମାସରେ ଯେତେ ପଇସା ପଡିବ ସେତିକି ଡାଟା ଆପଣଙ୍କୁ ମିଳିଯିବ। ତେବେ ଆପଣ ଅନ୍ୟ କଂପାନୀ ମୋବାଇଲକୁ କଲ କରିବାକୁ ହେଲେ ଆପଣଙ୍କୁ ଆସନ୍ତାକାଲିଠାରୁ ଏକ IUC ଟପଅପ ପକାଇବାକୁ ପଡିବ। ସେହି ଟପଅପରେ ଯେ ପର୍ଯ୍ୟନ୍ତ ପଇସା ଥିବା ସେ ପର୍ଯ୍ୟନ୍ତ ଆପଣ କଥା ହେବେ। ଏହାଦ୍ବାରା ଜିଓ ଅନ୍ୟ ମୋବାଇଲ ସେବା ପ୍ରଦାନକାରୀ କଂପାନୀ ଉପରେ ଏକ ପ୍ରକାର ରୋକ ଲଗାଇଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏଥିପାଇଁ ଯେଉଁ ଟପଅପ ପକାଯିବ ତାହା ଗ୍ରାହକମାନଙ୍କ ପାଇଁ ପୁଣି ଏକ ମୁଣ୍ଡ ବ୍ୟଥାର କାରଣ ହେବ। ତେବେ ଜିଓ ଫୋନ ଭିତରେ କଥା ହେଲେ କୌଣସି ଦେୟ ପଡିବ ନାହିଁ ବୋଲି କଂପାନୀ ତରଫରୁ କୁହାଯାଇଛି।