ସମୀକ୍ଷା ବ୍ୟୁରୋ
ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ କରିବା ବିରୁଦ୍ଧରେ ଆସନ୍ତା କାଲି ବିଜେପି ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ। ଏଥିସହିତ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚାରି ଗୋଟି ପ୍ରସଙ୍ଗ ନେଇ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦିଆଯିବ । ସେଗୁଡିକ ହେଲା
(୧) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକର ନାଁ କାଟି ରାଜ୍ୟସରକାର ବିଜ୍ଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଣ୍ଟନ କରି ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟାଦେଶ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟସରକାର ଏହାକୁ ନିଜ ଲୋଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ।
(୨) ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ମଧ୍ୟ ଚଂଚକତା ରହିଛି । ତାର ଯେଉଁ ବିଜ୍ଞାପନ ବାହାରିଲା ସେ ବିଜ୍ଞାପନରେ ଗୋଟିଏ କୌଣସି ଜାଗାରେ ଲେଖା ହୋଇନି ଯେ,ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ହେଉଛି ।
(୩) ସର୍ଭେ ହେଲା ପରେ ଯେଉଁ ପ୍ରାରମ୍ଭିକତା ତାଲିକା ଆସିଛି ତାହାପରେ ପରବର୍ତୀ ପ୍ରକ୍ରିୟାଟି ହେଉଛି ଘରର ଫଟୋ ଉଠାଇ ଜିଓ ଟାଗିଙ୍ଗ୍ କରିବା କଥା । କିନ୍ତୁ ଶାସକ ଦଳର ବିଧାୟକ ପଂଚାୟତ ଏକଜ୍ୟୁଟିଭ୍, ଜିଆରଏସ୍ ମାନଙ୍କୁ ଧରି କେବଳ ବିଜୁ ଜନତାଦଳର କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟାଗିଙ୍ଗ୍ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।
(୪) ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜୁ ଜନତା ଦଳର ବିଧାୟକ ମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି। ଯେଉଁମାନଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟାକିଙ୍ଗ୍ ହେବ ନିଷ୍ପତି ହୋଇଛି। ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ପିସି ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି ।
ଏହା ବିରୁଦ୍ଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମ୍ୟୁନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା।