ସମୀକ୍ଷା ବ୍ୟୁରୋ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଚିଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦଶହରାରେ ଗାଡି ପୂଜା ବେଳେ ସେହି ଅଞ୍ଚଳର ରାମ ଭାଇନା ଗାଡି ପୂଜା କରିବା ପରେ ଗାଡି କର୍ମଚାରୀଙ୍କୁ ଧାଡିରେ ବସାଇ ମୁଣ୍ଡରେ ପାଦ ରଖି ଆର୍ଶିବାଦ ପ୍ରଦାନ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି। ଜଣେ ବ୍ରାହ୍ମଣ ଆର୍ଶିବାଦ କରିବା କିଛି ଅସୁବିଧା ନାହିଁ। ହେଲେ ଲୋକଙ୍କ ମୁଣ୍ଡ ଜବରଦସ୍ତ ତଳକୁ କରି ତାଙ୍କ ଉପରେ ପାଦ ଥୋଇବାକୁ କେହି ଗ୍ରହଣ କରୁ ନାହାଁନ୍ତି।
ପୁରା ଘଟଣାଟି ହେଉଛି ଯେ, ବାଣପୁରର ଛାୟା ମଣ୍ଡପ ନିକଟରେ ବ୍ରହ୍ମେଶ୍ବର ମୋଟର କର୍ମଚାରୀ ସଂଘର ଗାଡି ପୂଜା ହେଉଥିଲା। ସେହି ଅଞ୍ଚଳର ରାମଚନ୍ଦ୍ର ସାମନ୍ତରାୟ ଓରଫ ରାମ ଭାଇନା ଗାଡି ପୂଜା କରିବା ପରେ ସବୁ କର୍ମଚାରୀଙ୍କୁ ଧାଡିରେ ବସିବାକୁ କହି ମନ୍ତ୍ରପାଠ କଲେ। ସେମାନେ ଧାଡିରେ ବସିବା ପରେ ଭାଇନା ଜଣ ଜଣ କରି ପାଖକୁ ଯାଇ ସେମାନଙ୍କ ମୁଣ୍ଡକୁ ହାତରେ ତଳକୁ ଭିଡି ତାଙ୍କ ଉପରେ ପାଦ ଥୋଇ ମନ୍ତ୍ରପାଠ କରିଲେ। ସେତେବେଳେ ହଠାତ କେହି କିଛି ବୁଝିପାରିଲେ ନାହିଁ। ଭାଇନା ମନ୍ତ୍ରପାଠ କରୁଥିବାରୁ ତାହାକୁ ପୂଜାର ଏକ ପରଂପରା ବୋଲି ଭାବି କେହି ପ୍ରତିବାଦ କଲେ ନାହିଁ। ହେଲେ ପରବର୍ତ୍ତି ସମୟରେ ଏହି ଭିଡିଓ ଭାଇରାଲ ହେବା ପରେ ଭାଇନାଙ୍କ ଏହି କାମକୁ ନିନ୍ଦା କରାଯାଇଛି। ତେବେ ରାମ ଭାଇନାଙ୍କୁ ଯୁକ୍ତି ହେଲା ଯେ, ଯଜମାନଙ୍କୁ ବିଭିନ୍ନ ମାଧ୍ୟମରେ ଆର୍ଶିବାଦ କରାଯାଇଥାଏ। ହାତରେ, ପାଟିରେ, ଆଖିରେ ଏବଂ ପାଦରେ ଆଶୀର୍ବାଦ କରାଯାଇଥାଏ। ସେହି ମାଧ୍ୟମ ମଧ୍ୟରୁ ମୁଁ ପାଦରେ ସେମାନଙ୍କୁ ଆଶୀର୍ବାଦ କରିଛି।
ତେବେ ଭାଇନାଙ୍କ ଏପରି ଯୁକ୍ତିକୁ ମଧ୍ୟ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।