ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଡ୍ରାଇଭର୍ ସିଟ୍ରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ବିରାଟ କୋହଲିଙ୍କ ଦ୍ବିଶତକ ତଥା କ୍ୟାରିୟରର ସର୍ବାଧିକ ସ୍କୋର ବଳରେ ଭାରତ 601/5ରେ ଇନିଂସ ଘୋଷଣା କରିଥିବା ବେଳେ ଦିନର ଖେଳ ସମାପ୍ତ ହେବା ବେଳକୁ ଦ ଆଫ୍ରିକା 36 ରନ୍ରେ 3 ଓ୍ବିକେଟ୍ ହରାଇ ସଙ୍କଟରେ ପଡିଛି । ଅଧିନାୟକ ବିରାଟ କୋହଲି 336 ବଲ୍ର ସମ୍ମୁଖୀନ ହୋଇ 33 ଚୌକା ଏବଂ 2 ଛକ୍କା ସହାୟତାରେ କ୍ୟାରିୟର ସର୍ବାଧିକ 254* ସଂଗ୍ରହ କରିଥିଲେ । ଗତକାଲି ମୟଙ୍କ ଅଗ୍ରଓ୍ବାଲ (108) ମଧ୍ୟ ଶତକ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁଜାରା(58), ରାହାଣେ(59) ଏବଂ ରବୀନ୍ଦ୍ର ଜାଡେଜା(91) ରନ୍ ସଂଗ୍ରହ କରିଥିଲେ । ଦ. ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କେଶବ ମହାରାଜ ଏବଂ ସେନୁରାନ ମୁଥୁସ୍ବାମୀ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା । ଦୁଇ ଓପ୍ନର ଡିନ୍ ଏଲ୍ଗାର ଏବଂ ଆଡେନ୍ ମର୍କ୍ରମ ମାତ୍ର 13 ରନ୍ ମଧ୍ୟରେ ପ୍ୟାଭିଲିୟନ୍ ଫେରିଥିଲେ । ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଉମେଶ ଯାଦବ ଉଭୟଙ୍କ ଓ୍ବିକେଟ ଅକ୍ତିଆର କରିଥିଲେ । ମ୍ୟାଚ୍ର 10ମ ଓଭରରେ ଆକ୍ରମଣକୁ ଆସିଥିବା ମହମ୍ମଦ ସାମି ତେମ୍ବା ବାଭୁମାଙ୍କୁ ଆଉଟ କରି ଭାରତକୁ ତୃତୀୟ ସଫଳତା ପ୍ରଦାନ କରିଥିଲେ । ଖେଳ ଶେଷ ବେଳକୁ ଥେନିସ୍ ଡି ବ୍ରୁଇନ୍(20) ଏବଂ ନାଇଟ ଓ୍ବାଚ୍ମ୍ୟାନ୍ ଆନିର୍ଚ ନୋର୍ଜେ (2) ରନ୍ରେ ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଉମେଶ ଯାଦବ 16/2 ଏବଂ ମହମ୍ମଦ ସାମି 8/1ର ଫିଗର ହାସଲ କରିଥିଲେ ।