ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଜିକୁ ଆଉ ଆଠ ଦିନ ବାକି ରହିଲା । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟ ପାଇଁ ଭୋଟପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ମତଦାତାଙ୍କୁ ଆକର୍ଷଣ କରିବା ପାଇଁ କଂଗ୍ରେସ ଓ ବିଜେପି ସମେତ ସମସ୍ତ ରାଜନୖେତିକ ଦଳମାନେ ପୂରା ଅଣ୍ଟା ଭିଡ଼ି ସାରିଲେଣି । ଆଜି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ୍ ଗାନ୍ଧି ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ପିଏମ୍ ମୋଦି ଆଜି ଦ୍ବିପ୍ରହର ୧୨ଟାରେ ଉତ୍ତର ମହାରାଷ୍ଟ୍ରର ଜଲଗାଓ୍ବଠାରେ ଏକ ରାଲିର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ପରେ ସନ୍ଧ୍ୟା ୪ ଘଟିକା ସମୟରେ ବିଦର୍ଭର ଭଣ୍ଡାରା ଝିଲ୍ଲାର ସକୋଲିଠାରେ ଆଉ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ବାଚନୀ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ମୋଟ ୯ଟି ରାଲିକୁ ସମ୍ବୋଧିତ କରିବେ । ସେହିପରି ହରିୟାଣାରେ ମଧ୍ୟ ରାଲି କରିବେ ମୋଦି। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ମହାରାଷ୍ଟ୍ରର ଲାତୁରଠାରେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବେ । ପରେ ପରେ ମୁମ୍ବାଇର ଚାନ୍ଦବଲି ଓ ଧାରାବୀ ଅଞ୍ଚଳରେ ମଧ୍ୟ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ରାହୁଲ୍ ।