ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଓ ଗ୍ୱାଲିୟରର ଅନିକେତ। ସୂଚନା ଅନୁଯାୟୀ, ହୋଶଙ୍ଗାବାଦର ଏନ୍ଏଚ୍ -୬୯ ନିକଟରେ ଏହି ଘଟଣା ଘଟିଛି । ହୋଶଙ୍ଗାବାଦରେ ଅଖିଳ ଭାରତୀୟ ହକି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏଥିରେ ଭାଗ ନେବା ପାଇଁ ଏହି ଖେଳାଳିମାନେ ଯାଉଥିଲେ। କାର୍ରେ ସମୁଦାୟ ୭ଜଣ ଲୋକ ରହିଥିଲେ । ସେମାନେ ଏକ ସ୍ବିପ୍ଟ ଡିଜାୟର କାର୍ରେ ସେଠାକୁ ଯାଉଥିବା ବେଳେ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ପ୍ରୟାସ କରିଥିଲେ। କାର୍ଟି ଦ୍ରୁତ ଗତିରେ ଥିବାରୁ ଓଭର୍ଟେକ୍ କରିବା ସମୟରେ ଏହା ଭାରସାମ୍ୟ ହରାଇଥିଲା ଓ ଏକ ଗଛରେ ପିଟି ହୋଇଯାଇଥିଲା। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।