ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷ୍ୟାଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ମଠ, ମନ୍ଦିରରେ ବ୍ରତଧାରୀ ରହିଥିବାବେଳେ ସରକାରଙ୍କ ପକ୍ଷରୁ ୩ଟି ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ଏହି ୩ଟି ଆଶ୍ରୟସ୍ଥଳରେ ପ୍ରାୟ ୨,୬୦୦ରୁ ଊର୍ଦ୍ଧ୍ୱ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହବିଷ୍ୟାଳି ଆଶ୍ରୟସ୍ଥଳର ଉଦ୍ଘାଟନ କରିବେ। ଏଥିପାଇଁ ରେଳଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି। ମାସେ ପର୍ଯ୍ୟନ୍ତ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ହବିଷ୍ୟାଳିମାନଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି।