ସମୀକ୍ଷା ବ୍ୟୁରୋ
ଭୁବନେଶ୍ବରସ୍ଥିତ ୧୨୦ ବାଟାଲିୟାନରେ ଟେରିଟୋରିୟାଲ ଆର୍ମି ନିଯୁକ୍ତି ମେଳାରେ ଯୋଗଦେବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ପ୍ରାର୍ଥି ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ଏତେ ପିଲାଙ୍କୁ ବ୍ୟବସ୍ଥିତ ଭାବେ ରଖିବା ପାଇଁ ନା ୧୨୦ ବାଟାଲିୟାନ ବ୍ୟବସ୍ଥା କରିଛି ନା ପୋଲିସ ପ୍ରଶାସନ। ଫଳରେ ଏହି ପରୀକ୍ଷାର୍ଥୀ ବାଟାଲିୟନ ପାଖରେ ଥିବା ଫୁଟପାଥରେ ରାତି ବିତାଇବାରେ ଲାଗିଛନ୍ତି। ଏପରିକି ପରୀକ୍ଷାର୍ଥୀମାନେ ସେହି ରାସ୍ତା ଉପରେ ରୋଷେଇ କରି ଖାଇବା ଏବଂ ନିତ୍ୟକର୍ମ ମଧ୍ୟ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ପ୍ରଥମ କଥା ଏତେ ପରୀକ୍ଷାର୍ଥୀ ରାଜଧାନୀକୁ ଆସୁଥିବାର ଜାଣିବା ପରେ ମଧ୍ୟ ସେମାନଙ୍କ ପାଇଁ ୧୨୦ ବାଟାଲିୟନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହି ପରୀକ୍ଷା ଦେବାକୁ ଆସୁଥିବା ପିଲାମାନେ ସେପରି ଧନୀକ ଶ୍ରେଣୀର ନୁହଁନ୍ତି ଯେ, ହୋଟେଲ ବୁକ କରି ରହିବେ। ତେବେ ଭୁବନେଶ୍ବରର ହୋଟେଲ ସଂଖ୍ୟା ଯେତେ ରହିଛି ହଠାତ ଏତେ ପିଲାଙ୍କୁ ରୁମ ଯୋଗାଇବାରେ ସମ୍ଭବ ହୋଇପାରିବ ନାହିଁ। ଏ ସବୁ ୧୨୦ ବାଟାଲିୟାନ କର୍ତ୍ତୁପକ୍ଷ ଜାଣିଥିଲେ ମଧ୍ୟ ତାହା ନିଜ କାମ ନୁହେଁ ଭାବି କୌଣସି ବ୍ୟବସ୍ଥା କରି ନାହାଁନ୍ତି। ଫୁଟଫାଥରେ ରାତି ବିତାଇବା, ରାସ୍ତାରେ ରୋଷେଇ କରି ଖାଇବା ଇତ୍ୟାଦି ଫଟୋ ଓ ଭିଜୁୟାଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ସମସ୍ତେ ନିନ୍ଦା କରି ପୋଲିସ ପ୍ରଶାସନ ଏବଂ ୧୨୦ ବାଟାଲିୟାନକୁ ନିନ୍ଦା କରିବାରେ ଲାଗିଛନ୍ତି।