ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସିଙ୍କୁ ସେଲ୍ଫି ନେବା ମହଙ୍ଗା ପଡିଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇ ଚର୍ଚ୍ଚାରେ ରହିଥିଲେ । ବୁଲୁ ମୁଣ୍ଡାଙ୍କ ବିରୋଧରେ ପୁରୀ ଏସ୍ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପ-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧାମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ଅସ୍ତରଙ୍ଗ ପୁଲିସ୍ ମୁନାକୁ ଖୋଜୁଥିବା ବେଳେ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍ ତାକୁ ଗିରଫ କରିଥିଲା। ଗିରଫ କରିବା ପରେ ଚନ୍ଦ୍ରଭାଗା ପୁଲିସ୍ ତାକୁ ନିମାପଡ଼ା ଥାନାକୁ ଆଣିଥିଲା। ତେବେ ସେହି ସମୟରେ ଗାଡ଼ି ଭିତରେ ଆଇଆଇସି ବୁଲୁ ମୁଣ୍ଡା ତାଙ୍କ ସହିତ ସେଲ୍ଫି ଉଠାଇଥିଲେ। ଆଉ ଏହା ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଆଇଆଇସି ଚର୍ଚ୍ଚାକୁ ଆସିଥିଲା।