ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପଓ୍ବାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ ବଡ ଝଟ୍କା । ଦଳର ଦୁଇ ବିଧାୟକ ମଙ୍ଗଳବାର ବିଜେପିରେ ଯୋଗଦାନ କରିଛନ୍ତି । ପୂର୍ବତନ ବିଧାୟକ ରାମରାଓ ଓ୍ବାଦକୁଟେ ଏବଂ ବର୍ତ୍ତମାନର ବିଧାୟକ ରହିଥିବା ବାପ୍ପୁ ପଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ମରାଠାଓ୍ବାଡାର ବିଧାୟକ ରହିଥିବା ଓ୍ବାଦକୁଟେ ଧାଙ୍ଗର ସମ୍ପ୍ରଦାୟର ହୋଇଥିବାରୁ ଏହା ବିଜେପି ପାଇଁ ସହାୟକ ହୋଇପାରେ । ସୋମବାର ଓ୍ବାଦକୁଟେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେହିପରି ପୁନେର ବିଧାୟକ ରହିଥିବା ପଠାରେ ମଧ୍ୟ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗଦାନ କରିଛନ୍ତି । ଉଭୟ ନେତା ସୋମବାର ନିଜର ଇସ୍ତଫାପତ୍ର ଏନ୍ସିପି ବିଧାୟକ ଦଳ ନେତା ରାମରାଜେ ନିମ୍ବଲକରଙ୍କ ନିକଟକୁ ପଠାଇଥିଲେ ।