ସମୀକ୍ଷା ବ୍ୟୁରୋ
ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ରୋକିବାକୁ ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନରେ ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ରେଲୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବା ନେଇ ଗତକାଲି ନୂଆଦିଲ୍ଲୀରେ ବସିଥିବା ବୈଠକରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ସୂଚନା ଦେଇଥିଲେ। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଥିଲେ। ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବାରୁ ତାକୁ ପ୍ରତିହତ କରିବା ପାଇଁ ରେଳ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧିସହିତ କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ୍ ସିକ୍ୟୁରିଟି ସ୍କିମ୍ ଅନୁସାରେ ସୁରକ୍ଷା ବଢାଯିବା ଉପରେ ଆଲୋଚନା ହୋଇଛି। ଏତଦ୍ବ୍ୟତୀତ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା, ସମସ୍ତ ରେଳ ଷ୍ଟେସନକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍, ଷ୍ଟେସନରେ ସବୁ ଅଞ୍ଚଳରେ ସିସିଟିଭି ନେଇ ବ୍ୟବସ୍ଥା ଓ ପ୍ରତି ଷ୍ଟେସନରେ ଡିସ୍ପ୍ଲେ ବୋର୍ଡ ଲଗାଯିବ ନେଇ ଗୁରୁତ୍ବ ଦିଆଯାଇଛି।