ସମୀକ୍ଷା ବ୍ୟୁରୋ
ଆସନ୍ତାକାଲି ନବୀନଙ୍କ ୭୪ ତମ ଜନ୍ମ ଦିନ। ବର୍ତ୍ତମାନ ସେ ୭୪ ବର୍ଷ ପୁରଣ କରି ୭୫ ବର୍ଷରେ ପାଦଦେବେ। ତେବେ ଚଳିତ ବର୍ଷ ନିଜର ଜନ୍ମଦିବସ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଫନୀ ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଥିବାରୁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ଋଣୀ କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜନ୍ମଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ନିଜର ଦଳର କର୍ମୀ ଭାଇଭଉଣୀ ତଥା ଶୁଭେଚ୍ଛୁ ମାନଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ବର, ନବୀନ ନିବାସ ନ ଆସି ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନେ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ ଭଲ ପାଇଁ କିଛି କାମ କରନ୍ତୁ ବୋଲି କହିଛନ୍ତି। କେବଳ ତାଙ୍କ ଜନ୍ମଦିନ ନୁହଁନ୍ତି, ନିଜର ଜନ୍ମଦିନ ତଥା ନିଜ ଜୀବନର ସବୁ ସ୍ମରଣୀୟ ଦିନ ଯଥା – ଜନ୍ମଦିନ, ପିଲାଙ୍କ ଜନ୍ମଦିନ, ବିବାହ ବାର୍ଷିକୀ ଆଦି ଦିନ ମାନଙ୍କରେ ଏହି ପିଲାମାନଙ୍କ ପାଖକୁ ଯାଇ କିଛି କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।