ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିବ ଅଡ୍-ଇଭିନ୍ । ଗୁରୁବାର ଏକ ପ୍ରେସମିଟ୍ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। କେବଳ ରବିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିବସରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍-ଇଭିନ୍ ନମ୍ବର କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରୁ ଭିଆଇପି ଗାଡି ଗୁଡ଼ିକ ବାଦ୍ ଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସିଆଇଜେ, ବାଚସ୍ପତିଙ୍କ ଏହି ନିୟମରେ କୋହଳ କରାଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ବିରୋଧୀ ନେତାଙ୍କ ପାଇଁ ମଧ୍ୟ କୋହଳ କରାଯାଇଛି । ସବୁ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଏହି ନିୟମରେ କୋହଳ କରିଥିଲେ ବି ନିଜ ପାଇଁ ଏହି ନିୟମରେ କୋହଳ କରିନାହାନ୍ତି ଅରବିନ୍ଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏହି ନିୟମରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତେବେ ୪ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଜରୁରୀକାଳିନ ପରିସ୍ଥିତିରେ ଯାଉଥିବା ଗାଡି ସହ ମହିଳା, ସ୍କୁଲ ପିଲା, ରୋଗୀଙ୍କୁ ନେଉଥିବା ଗାଡି ଗୁଡିକୁ ଏଥିରୁ ବାଦ୍ ଦିଆଯାଇଛି। ସେହିପରି ଦୁଇ ଚକିଆ ଯାନକୁ ମଧ୍ୟ ଅଡ୍-ଇଭିନ ନମ୍ବରରରୁ ବାଦ୍ ଦିଆଯାଇଛି। ୨୦୧୬ରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଏହି ନିୟମ ଲାଗୁ ହୋଇଥିବାବେଳେ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ୨୦୦୦ଟଙ୍କା ଜରିମାନା ରହିଥିଲା ।