ସମୀକ୍ଷା ବ୍ୟୁରୋ
ଆଜି ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ଠାରେ ମା’ ଭଗବତୀ ମହିଳା ମିଶନ ଶକ୍ତି ମହାସଂଘ, ବାଣପୁର ଏନ୍ଏସି, ଖୋର୍ଦ୍ଧା ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଣପୁର ଏନଏସିର ପ୍ରାୟ ୪୦ରୁ ୫୦ ଏସ୍ଏଚ୍ଜି ଗ୍ରୁପ୍ର ପାଖାପାଖି ୩୦୦ରୁ ୪୦୦ଜଣ ସଦସ୍ୟା ଉପସ୍ଥିତ ରହିଥିଲେ। ଏହି ବୈଠକରେ ଆଗାମୀ ଦିନରେ ବାଣପୁର ବ୍ଲକ୍ ତରଫରୁ ‘ମା ଭଗବତୀ ମହିଳା ମିଶନ ଶକ୍ତି ମହାସଂଘ’ର ଗଠନ ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା। ଏତଦ୍ବ୍ୟତୀତ ଏହି ବୈଠକରେ ଏହି ମହାସଂଘର ସଭାପତି, ସମ୍ପାଦିକା ତଥା କୋଷାଧ୍ୟକ୍ଷା ଚୟନକୁ ନେଇ ମଧ୍ୟ ସମସ୍ତ ସଦସ୍ୟାଙ୍କ ସହ ଚର୍ଚ୍ଚା କରାଯାଇଥିଲା। ବାଣପୁରରେ ନୂତନ ଏସ୍ଏଚ୍ଜି ଗ୍ରୁପ୍ର ନିର୍ମାଣ ଓ ଏହାର ଉନ୍ନତି ତଥା ବିକାଶ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋକପାତ କରାଯାଇଥିଲା।
ଚିଲିକା ରିପୋର୍ଟର ଆସୋସିଏସନ୍, ବାଣପୁରର ସମସ୍ତ ସାମ୍ବାଦିକମାନେ ଏହି ବୈଠକକୁ ପ୍ରସ୍ତୁତ କରିଥିଲେ। ସାମ୍ବାଦିକ ଲକ୍ଷ୍ମୀଧର ମହାପାତ୍ର ଏହି ବୈଠକରେ ଯୋଗ ଦେଇ ମହିଳାମାନଙ୍କୁ ସୂଚନା ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ଏଥି ସହିତ ଗଣତାନ୍ତ୍ରିକ ଉପାୟରେ ଏହି ମିଶନ୍ଶକ୍ତି ମହାସଂଘର ସମସ୍ତ ସଂଚାଳକ ମଣ୍ଡଳୀ ତଥା ସଭାପତି, ସମ୍ପାଦିକା ଓ କୋଷାଧ୍ୟକ୍ଷା ଚୟନରେ ସ୍ବଚ୍ଛତା ତଥା ଦକ୍ଷତାକୁ ଅଗ୍ରାଧିକାର ଦେବା ନେଇ ଉପସ୍ଥିତ ସମସ୍ତ ଏସ୍ଏଚ୍ଜି ଗ୍ରୁପ୍ର ସଦସ୍ୟାଙ୍କୁ ସଚେତନତା କରାଇଥିଲେ। ଏହି ପ୍ରସ୍ତୁତି ବୈଠକରେ ବାଣପୁର ଏନ୍ଏସିର ଅନୁପସ୍ଥିତ ଥିବା ଅନ୍ୟ ସମସ୍ତ ଏସ୍ଏଚ୍ଜି ଗ୍ରୁପ୍କୁ ଏହା ମାଧ୍ୟମରେ ସମ୍ପର୍କିତ ହେବା ପାଇଁ ଆହ୍ବାନ କରାଯାଇଛି।