କଟକ ଜିଲ୍ଲା ସାଲେପୁର ଥାନା ବେତେଇ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଶାଶୁ ସୀତା ମଲ୍ଲିକ, ବୋହୁ ନନ୍ଦିତା ମଲ୍ଲିକ ଓ ପୁଷ୍ପଲତା ମଲ୍ଲିକ । ବର୍ଷା ହେଉଥିବାରୁ ସାଲେପୁର ଥାନା ବେତେଇ ଗାଁର ବଡ଼ ବୋହୁ ନନ୍ଦିତା ମଲ୍ଲିକ ଘର ଭିତରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ସୀତା ଧାଇଁ ଆସିଥିଲେ । ମାତ୍ର ସେ ମଧ୍ୟ ବିଦ୍ୟୁତ ଆଘାତରେ ସେଠାରେ ପଡ଼ିଯାଇଥିଲେ । ଏହା ପରେ ସାନ ବୋହୁ ପୁଷ୍ପଲତା ଉକ୍ତ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଆସିବାବେଳେ ସମାନ ଘଟଣା ଘଟିଛି । ଫଳରେ ଅକାଳରେ ଶାଶୁ ଓ ଦୁଇ ବୋହୁ ମୃତ୍ୟୁବରଣ କରିଛନ୍ତି । ଏକାବେଳେ ଗୋଟିଏ ପରିବାରର ତିନି ତିନି ଜଣଙ୍କର ମୃତ୍ୟୁ ଖବରକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।