ସମୀକ୍ଷା ବ୍ୟୁରୋ
ଲଘୁଚାପ ବର୍ଷା ପ୍ରଭାବରେ ପାଣିଘେରରେ ରହିଛି ବାଣପୁରର ନନ୍ଦପୁର ଗ୍ରାମ । ନନ୍ଦପୁର ପଞ୍ଚାୟତର ନନ୍ଦପୁର ଗ୍ରାମର ବିଭିନ୍ନ ଘରେ ପାଣି ପଶିଯାଇଥିବା ବେଳେ ଗ୍ରାମଟି ଦୁଇ ଦିନ ଧରି ପାଣି ଘେରରେ ରହିଛି । ଏଠାରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡିଥିବାରୁ ଗ୍ରାମରେ ମହାମାରୀ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନନ୍ଦପୁର ଗ୍ରାମ ଗସ୍ତ କରିଥିଲେ । ମାତ୍ର ଜଳ ନିଷ୍କାସନ ବ୍ୟବସ୍ଥା ଅଚଳ ହୋଇ ପଡିଥିବାରୁ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ପ୍ରତ୍ୟେକ ଥର ବର୍ଷା ଆରମ୍ଭରୁ ଏହି ଗ୍ରାମଟି ଜଳାର୍ଣ୍ଣବ ହୋଇପଡୁଛି । ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ ଫାଇଲିନ୍ ପରଠାରୁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଠାରେ ଜଳ ନିଷ୍କାସନ ପାଇଁ ରହିଥିବା ଡ୍ରେନ୍ ଉପରେ ଅନେକ ବେଆଇନ ଘର ନିର୍ମାଣ କରାଯାଇଥିବା ବେଳେ ବାକି ଡ୍ରେନ ଗୁଡିକରେ ସଫେଇ କରାଯାଉନଥିବାରୁ ପ୍ରାରମ୍ଭିକ ବର୍ଷାରେ ମଧ୍ୟ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।