ସମୀକ୍ଷା ବ୍ୟୁରୋ
ଅନୁଗୁଳ- ଏଟିଏମ ଚୋରମାନେ କେତେବେଳେ କଣ କରନ୍ତି ତାହା ଜାଣିବା କଷ୍ଟକର। ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଅନୁଗୁଳର ଏକ ଏଟିଏମରେ। ଅନୁଗୁଳ ଛେଣ୍ଡିପଦା ଥାନା ଅଧିନରେ ଥିବା ବଗଡିଆ ଛକରେ ରହିଛି ଏକ ଏସବିଆଇ ଏଟିଏମ। ଏହି ଏଟିଏମରୁ ଗତକାଲି ରାତିରେ ଜଣେ ଯୁବକ ପଇସା ଉଠାଇବା ପାଇଁ ଯାଇଥିଲେ। ଏଟିଏମ ଭିତରେ ପଶି ସେ ତାଙ୍କର କାର୍ଡକୁ ଭର୍ତ୍ତି କଲେ। ତାପରେ ସେ ସିଲେକସନ ବଟମ ଟିପିବା ବେଳେ ସେହି ବଟମ ବୋର୍ଡଟି ଟିକିଏ ଘୁଞ୍ଚିଗଲା। ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ। ତଥାପି ତାକୁ ଠିକରେ ରଖି ପଇସା ଉଠାଇବାକୁ ଚେଷ୍ଠା କଲେ। ହେଲେ ତାହା ଠିକରେ ରହିଲା ନାହିଁ। ଏହାପରେ ସେହି ଯୁବକଙ୍କର ସନ୍ଦେହ ହେଲା। ତା ଉପରେ ସେ ଅନୁଧ୍ୟାନ କଲେ। ଆଉ ଜାଣିପାରିଲେ ଯେ କେହି ଜଣେ ଗୋଟିଏ ଡିଭାଇସ କି-ବୋର୍ଡ ଉପରେ ଖଞ୍ଜି ଦେଇଛି। ସନ୍ଦେହ ହେବା ପରେ ସେ ତୁରନ୍ତ ଥାନାରେ ଅଭିଯୋଗ କଲେ। ପୋଲିସ ଆସିବା ପରେ ସେହି ଡିଭାଇସକୁ ଜବତ କରିବା ସହିତ ସିସି ଟିଭି ଫୁଟେଜ ଅଛି କି ନାହିଁ ଯାଞ୍ଚ କରୁଛି। ବର୍ତ୍ତମାନ ସନ୍ଦେହ ହେଉଛି ଯେ ପୂର୍ବରୁ ଯେଉଁ ଗ୍ରାହକମାନେ ସେହି ଡିଭାସ ମାଧ୍ୟମରେ ଟଙ୍କା ଉଠାଇଛନ୍ତି ସେମାନଙ୍କର ପାଶ ୱାର୍ଡ, କାର୍ଡ ନମ୍ବର ସବୁ ଚୋରୀ ହୋଇଥାଇପାରେ। ପୋଲିସ ସେ ସବୁ ଯାଞ୍ଚ କରିବା ପାଇଁ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିବାର ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଏସବିଆଇ ଗ୍ରାହକମାନେ ବର୍ତ୍ତମାନ ସେମାନଙ୍କ ଅନ ଲାଇନ ଆକାଉଣ୍ଟ ଚେକ କରିବାରେ ଲାଗିଛନ୍ତି।