ସମୀକ୍ଷା ବ୍ୟୁରୋ
ବାଣପୁରର ବିଧାରପୁର ଛକରେ ଗତକାଲି କିଛି ଦୁର୍ବୁର୍ତ୍ତ ଏକ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ବାରଣ କରିବାରୁ ଦୋକାନୀ ସମେତ ଉପସ୍ଥିତ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୫ ଜଣ ଦୁର୍ବୁର୍ତ୍ତ ମଦ୍ୟପାନ କରି ଦୋକାନୀ ସୁକାନ୍ତଙ୍କୁ ସିଗାରେଟ ମାଗିଥିଲେ। ମାତ୍ର ସିଗାରେଟ ପ୍ରଦାନରେ ବିଳମ୍ବ କାରଣରୁ ଦୁର୍ବୁର୍ତ୍ତ ମାନେ ଜୋର ଜବରଦସ୍ତ ଦୋକାନ ମଧ୍ୟରେ ପ୍ରବେଶ କରିଥିଲେ।
ସୁକାନ୍ତଙ୍କ ସମେତ ଅନ୍ୟ ଗ୍ରାହକ ମାନେ ଏହାର ବିରୋଧ କରିବାରୁ ଉକ୍ତ ଯୁବକ ମାନେ ମିଳିତ ଭାବେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଉକ୍ତ ଯୁବକ ମାନେ ଅନ୍ୟ ୩୦-୪୦ ଯୁବକଙ୍କ ସହିତ ମଧ୍ୟରାତ୍ରରେ ସୁକାନ୍ତଙ୍କ ଗ୍ରାମକୁ ଆସି ଗାଳିଗୁଲଜ କରିବା ସହିତ ଢେଲାପଥର ମାଡ କରିଥିଲେ। ଆହତ ମାନଙ୍କୁ ପ୍ରଥମେ ବାଣପୁର ମେଡିକାଲକୁ ନିଆଯାଇଥିଲା। ମାତ୍ର ସ୍ବାସ୍ଥାବସ୍ଥା ଗୁରୁତର ହେବା ପରେ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ପୋଲିସ୍ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।