ସମୀକ୍ଷା ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜିଲ୍ଲାପଳଙ୍କ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣ ସବୁ ଜନଶୁଣାଣିରେ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ପାରୁନାହିଁ। ଏପରିକି ଦିବ୍ୟାଙ୍ଗମାନଙ୍କ ଅଭିଯୋଗକୁ ମଧ୍ୟ ଜିଲ୍ଲାପାଳ ଫୁ..କରି ଉଡାଇ ଦେଉଛନ୍ତି। ରାଣୀପଡା ଗ୍ରାମର ଜଣେ ଦିବ୍ୟାଙ୍ଗ ମହିଳା ଯେ କି ସାତ ଥର ଏହି ଶୁଣାଣିକୁ ଆସିଲେଣି, ହେଲେ ତାଙ୍କୁ ନା ଖଣ୍ଡିଏ ରାସନ କାର୍ଡ ମିଳିପାରୁଛି ନା ଗୋଟିଏ ତିନି ଚକିଆ ସାଇକେଲ। ବାରମ୍ବାର ନିରାଶ ହେବା ପରେ ଶେଷରେ “ଚିଲିକା ରିପୋର୍ଟର ଆସୋସିଏସନ” ର ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଆଜି ସେହି ମହିଳାଙ୍କୁ ସାଇକେଲ ଖଣ୍ଡେ ମିଳିପାରିଛି।
ଅନ୍ୟପଟେ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସବୁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ରାମ୍ପର ବ୍ୟବସ୍ଥା କରିଥାନ୍ତି। ହେଲେ ଜିଲ୍ଲାପାଳ ଉପର ମହଲାରେ ଶୁଣାଣି କରୁଥିବାରୁ ସେଠାକୁ ଦିବ୍ୟାଙ୍ଗମାନେ ଯିବା ସମ୍ଭବ ହୋଇପାରୁ ନାହିଁ। ଜଣେ ଜିଲ୍ଲାର ପ୍ରମୁଖ ଅଧିକାରୀ ଭିନ୍ନକ୍ଷମ ଆଇନି ସଂପର୍କରେ ଅବଗତ ଥିଲେ ମଧ୍ୟ ସେ କିପରି ପ୍ରଥମ ମହଲାରେ ଜନଶୁଣାଣି କରୁଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ନେଇ ଦିବ୍ୟାଙ୍ଗମାନେ ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।