ସମୀକ୍ଷା ବ୍ୟୁରୋ
ବାଣପୁର ବ୍ଲକ୍ରେ ବରିଷ୍ଠ ଜିଲ୍ଲା କୃଷି ଅଧିକାରୀ(ଡିଏଓ)ଙ୍କୁ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରାଯାଇଥିବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ସହକାରୀ କୃଷି ଅଧିକାରୀ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଗତ ୨୮ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ପରେ ଡିଏଓ ବିଜୟ କୁମାର ମହାନ୍ତି ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଫସଲ ହାନି ସମ୍ପର୍କରେ ପଚାରିଥିଲେ। ଏବଂ ଲଗାଣ ବର୍ଷା ଏବଂ ରୋଗ ପୋକରୁ ହୋଇଥିବା ଫସଲ ହାନିର ରିପୋର୍ଟ ମାଗିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସହକାରୀ କୃଷି ଅଧିକାରୀ ନିଜ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଡିଏଓଙ୍କୁ ଗାଳିଗୁଲଜ କରିବା ସହିତ ଚାପୁଡା ମାରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡିଏଓଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଏପରି ବ୍ୟବହାର ନେଇ ବାଣପୁର ବ୍ଲକ୍ର କୃଷି ବିଭାଗର ସମସ୍ତ କର୍ମଚାରୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରଶାନ୍ତ ମହାପାତ୍ର ନାଚୁଣୀର ସହକାରୀ କୃଷି ଅଫିସର ଭାବରେ କାର୍ଯ୍ୟରତ। କିନ୍ତୁ ବାଣପୁର କୃଷି ବିଭାଗରେ ହସ୍ତକ୍ଷେପ କରିବା ସହିତ ବାଣପୁରର ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରାଇ ଦେଉନାହାନ୍ତି ବୋଲି ଶୁଣିବାକୁ ମିଳିଛି। ଏନେଇ ମୋନାଲିସା ଡିଡିଏଙ୍କ ନିକଟରେ ଅଭିଯୋଗ କରିଥିବାର ସୂଚନା ରହିଛି। ସମ୍ପ୍ରତି ମୋନାଲିସା ଟାଙ୍ଗୀ କୃଷି ବିଭାଗରେ କାର୍ଯ୍ୟରତ ଅଛନ୍ତି। ବାଣପୁରରେ ସହକାରୀ କୃଷି ଅଧିକାରୀ ଅନୁପସ୍ଥିତ ରହିବା କାରଣରୁ ବାଣପୁର କୃଷି କାର୍ଯ୍ୟାଳୟରେ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ହୋଇପାରୁନାହିଁ।
ବାଣପୁର ବ୍ଲକ୍ କୃଷକ ସାଥୀ ସଙ୍ଘର ସଭାପତି ସୁରେଶ କୁମାର ନାୟକ ଏହି ଘଟଣାକୁ ନିନ୍ଦନୀୟ ବୋଲି କହିବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସହକାରୀ କୃଷି ଅଧିକାରୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଦାବି କରାଯାଇଛି।