ସମୀକ୍ଷା ବ୍ୟୁରୋ
ଏଣିକି ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଦାୟିତ୍ବ ପ୍ରଶାସନିକ ଅଧିକାରୀ ମାନେ ସମ୍ଭାଳିବେ। ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ହସ୍ପିଟାଲର ପ୍ରଦର୍ଶନ ବୃଦ୍ଧି ପାଇଁ ସଂଯୋଜକ ଦାୟିତ୍ବରେ ନିଯୁକ୍ତ କରାଯାଇଛି। ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର ଓ ନିକୁଞ୍ଜ ଧଳଙ୍କୁ ଦୁଇଟି ଲେଖାଏଁ ହସ୍ପିଟାଲର ଦାୟିତ୍ବ ମିଳିଛି। ସୁରେଶ ମହାପାତ୍ରଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ ଏବଂ ବୁର୍ଲା ଭୀମସାର ମେଡିକାଲ କଲେଜ ଦାୟିତ୍ବ ପ୍ରଦାନ କରାଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ ବାଲେଶ୍ବର ଏବଂ ବ୍ରହ୍ମପୁର ମେଡିକାଲ ଓ ନିକୁଞ୍ଜ ଧଳଙ୍କୁ କନ୍ଧମାଳ ଓ ବଲାଙ୍ଗିର ମେଡ଼ିକାଲର ଦାୟିତ୍ବ ପ୍ରଦାନ କରାଯାଇଛି। ଏମାନଙ୍କ ବ୍ୟତୀତ ହେମନ୍ତ ଶର୍ମାଙ୍କୁ ଭବାନୀ ପାଟଣା, କ୍ରିଷନ କୁମାରଙ୍କୁ ପୁରୀ ମେଡିକାଲ କଲେଜ, ରାଜକୁମାର ଶର୍ମାଙ୍କୁ କେନ୍ଦୁଝର, ମୋନା ଶର୍ମାଙ୍କୁ ଯାଜପୁର, ଅନୁ ଗର୍ଗଙ୍କୁ ଅନୁଗୁଳ, ଅଶୋକ ମୀନାଙ୍କୁ କୋରାପୁଟ ଏବଂ ସୁରେନ୍ଦ୍ର କୁମାରଙ୍କୁ ବାରିପଦା ମେଡିକାଲ କଲେଜର ଦାୟିତ୍ବ ପ୍ରଦାନ କରାଯାଇଛି।