କାଳିଆ ଯୋଜନାକୁ ନେଇ ବିଜେପି ଭୟଭୀତ ବୋଲି ମତ ଦେଇଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଯୋଜନା ଅର୍ଥ କେବେ ପ୍ରଦାନ କରାଯିବ ବୋଲି ପ୍ରଶ୍ନ କରିବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ରାଜ୍ୟରେ ଚାଷ ଏବଂ ଚାଷୀଙ୍କର ଉନ୍ନତି ଚାହୁଁନଥିବାରୁ ଏପରି ନକରାତ୍ମକ ମନ୍ତବ୍ୟ ପ୍ରଦାନ କରୁଛି ବୋଲି ସସ୍ମିତ ପ୍ରକାଶ କରିଛନ୍ତି । ବିଜେପି ପକ୍ଷରୁ ଏଭଳି ମତ ପ୍ରଦାନ କରାଯାଇ ଚାଷୀ ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ ଠାରୁ ଆରମ୍ଭ କରି ପଞ୍ଚଦଶ ଅର୍ଥ କମିଶନଙ୍କ ପକ୍ଷରୁ ଏହି ଯୋଜନାକୁ ପ୍ରଶଂସା କରାଯାଇଥିବା ବେଳେ ରାଜନୈତିକ ଫାଇଦା ପାଇଁ ବିଜେପି ପକ୍ଷରୁ ନକରାତ୍ମକ ମନ୍ତବ୍ୟ ପ୍ରଦାନ କରାଯାଉଛି । ବିଜେପିର ଏହି ରାଜନୈତିକ ହୀନମନ୍ୟତା ଆଦୌ ସଫଳ ହେବ ନାହିଁ ଏବଂ ଚାଷୀମାନେ ଏହାର ଉଚିତ୍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।