ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏଫ୍ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ କଟକଣା ଜାରି ହୋଇଛି ଓ ଗାଡ଼ିଗୁଡ଼ିକ ଯାତାୟାତ କରୁଥିବା ରାସ୍ତାରେ କିଛି ପରିବର୍ତ୍ତନ କରାଯାଇଛି। ଜୟଦେବ ବିହାରଠାରୁ ଶାସ୍ତ୍ରୀନଗର ରାସ୍ତାରେ କଟକଣା ଜାରି କରାଯାଇଥିବାବେଳେ ଏହି ରାସ୍ତାରେ ଅନଧିକୃତ ଯାନବାହନ ଯାତାୟାତ କରିପାରିବେନି। ସେହିପରି ୧୨୦ ବାଟାଲିଅନ୍ ପଟରୁ ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବେ। ଷ୍ଟାଡିଅମ୍ ପଟୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଯିବେ। ବାଣୀବିହାର ପଟରୁ ଆସୁଥିବା ଗାଡ଼ିଗୁଡ଼ିକ ଆଚାର୍ଯ୍ୟ ବିହାର ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ ଯିବେ। ଏହି ଗାଡ଼ିଗୁଡ଼କୁ କଳିଙ୍ଗ ଷ୍ଟାଡିୟମ୍ ପଟକୁ ଛଡାଯିବ ନାହିଁ। ସେହିପରି ଏଜି କଲୋନୀ ଆଡୁ ଆସୁଥିବା ଦର୍ଶକ ଫୁଟ୍ ଓଭରବ୍ରିଜ୍ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ଦର୍ଶକମାନେ ୩ ନମ୍ବର ଗେଟ୍ ଦେଇ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରବେଶ କରିବେ ଓ ସେଠାରେ ସ୍ଲାଇଡିଂ ଗେଟ୍ ଇ ବ୍ୟବହାର କରି ଗାଡ଼ି ପାର୍କିଂ କରିବେ ବୋଲି ଟ୍ରାଫିକ ପୁଲିସ୍ ନୋଟିସ ଜାରି କରିଛି।