ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ଅପରାହ୍ନ ୪ଟା ୩୦ରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ତାରିଖ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜ୍ୟରେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯିବ। ଝାରଖଣ୍ଡର ବିଧାନସଭା କାର୍ଯ୍ୟକାଳ ଜାନୁଆରୀ ୫, ୨୦୨୦ରେ ସମ୍ପୂର୍ଣ୍ଣ ହେବାକୁ ରହିଛି । ଏହା ପୂର୍ବରୁ ନୂତନ ସରକାର ଗଠନ କରାଯିବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ୍ ଆରୋଡା ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ । ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ବରେ ବିଜପି ଲଗାତର ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ସହିତ ପୁଣିଥରେ କ୍ଷମତାସୀନ ହେବା ପାଇଁ ଆଶା ରଖିଛି । ଚଳିତ ଲୋକସଭା ନିର୍ବାଚନର ପରିଣାମକୁ ଦେଖି ଦଳ ରାଜ୍ୟରେ ମିଶନ ୬୫+ର ଟାର୍ଗେଟ୍ ରଖିଛି । ବିଜେପି ଓ ଏଜେଏସ୍ୟୁ ମିଳିତ ଭାବରେ ନିର୍ବାଚନ ମଇଦାନ ଓହ୍ଲାଇବେ ବୋଲଇ ନିଷ୍ପତ୍ତି ନେଇଥିବାବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜନ ଆଶୀର୍ବାଦ ଯାତ୍ରା ଦ୍ବାରା ବିଜେପି ପକ୍ଷରେ ସମର୍ଥନ ହାସଲ କରିବା ଦିଗରେ ଲାଗିପଡିଛନ୍ତି । ସେହିପରି ବିଜେପିକୁ ରୋକିବା ଲାଗି ବିରୋଧ ଦଳ ଏକଜୁଟ୍ ହୋଇଛନ୍ତି । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ହେମନ୍ତ ସୋରେନ୍ କ୍ଷମତାକୁ ଆସିବା ପାଇଁ ‘ପରିବର୍ତ୍ତନ ଯାତ୍ରା’ କରି ବିଜେପି ବିରୋଧୀ ସମର୍ଥନ ହାସଲ କରିବାରେ ଲାଗିପଡିଛନ୍ତି । ସେହିପରି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାମେଶ୍ବର ଓଁରାବ ଆଦିବାସୀ କାର୍ଡ ଖେଳୁଥିବାବେଳେ ବାବୁଲାଲ ମାରାଣ୍ଡିଙ୍କ ଦଳ ଜେବିଏମ୍ ଏକାକୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ନିଶ୍ଚୟ କରିଛି । ଝାରଖଣ୍ଡ ମୋଟ ୮୧ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ୩୭ଟି ଆସନ ଜିତିଥିବାବେଳେ ବିଜେପିର ସହଯୋଗୀ ଦଳ ଏଜେଏଏସ୍ୟୁ ୫ଟି ଆସନ ଜିତିଥିଲା ।