ସମୀକ୍ଷା ବ୍ୟୁରୋ
ଆସାମୀକୁ ଗିରଫ ଦାବିରେ ଆଜି ଶତାଧିକ ମହିଳା ବାଣପୁର ଥାନା ଘେରାଉ କରିଛନ୍ତି। ନରେନ୍ଦ୍ରପୁର ପଞ୍ଚାୟତର ବଡସିରେଇପୁର ଗ୍ରାମର ଶତାଧିକ ମହିଳା ଆସାମୀକୁ ଗିରଫ କରିବା ପାଇଁ ଦାବି କରିବା ସହିତ ଥାନା ପରିସରରେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ବଡ଼ସିରେଇପୁର ଗ୍ରାମର ଚାରିଭାଇ ବେଆଇନ୍ ଭାବରେ ମଦ ବିକ୍ରି କରି ଆସୁଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ବାରଣ କରାଯାଇଥିଲା। ଏପରିକି ଏହି ଚାରିଭାଇଙ୍କୁ ଗ୍ରାମସଭାରେ ଏପରି କାର୍ଯ୍ୟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଏହି ଚାରି ଭାଇଯାକ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଅମାନ୍ୟ କରିବା ସହିତ ଗ୍ରାମସଭା କମିଟିର ସଦସ୍ୟ ପ୍ରଭାକର ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଭାକରଙ୍କୁ ବାଣପୁର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅବନତି ଆଡକୁ ଗତି କରୁଥିବାବେଳେ ତାଙ୍କୁ ଭୁବନେଶ୍ବର ହସ୍ପିଟାଲ୍କୁ ସ୍ଥାନନ୍ତରିତ କରାଯାଇଥିଲା। ଦୀର୍ଘ ୨୨ ଦିନ କାଳ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ପ୍ରଭାକର ଘରକୁ ଫେରିଥିବାବେଳେ ଏବେବି ଆସାମୀମାନେ ଗିରଫ ନ ହୋଇ ଫେରାର୍ ରହିଛନ୍ତି।
କେବଳ କମିଟିର ସଦସ୍ୟଙ୍କୁ ନୁହେଁ ସମ୍ପୃକ୍ତ ଅଭିଯୁକ୍ତ ତଥା ଆସାମୀ ମାନେ ଗ୍ରାମବାସୀଙ୍କୁ ଏନେଇ ମାରପିଟ୍ କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା। ପୂର୍ବରୁ ବେଆଇନ ମଦ ବିକ୍ରିକୁ ନେଇ ଦୁଇ ଦୁଇଥର ସମ୍ପୃକ୍ତ ଆସାମୀମାନେ ଗିରଫ ହୋଇଥିବାର ସୂଚନା ରହିଛି। ତେବେ ଏହି ଘଟଣା ଘଟିବାର ଏକ ମାସ ବିତି ଯାଇଥିଲେ ବି ପୋଲିସ ଜଣକୁ ଗିରଫ କରିଥିବାବେଳେ ବାକି ତିନି ଜଣ ଫେରାର ରହିଛନ୍ତି। ସମ୍ପୃକ୍ତ ତିନି ଅପରାଧୀଙ୍କୁ ଗିରଫ କରିବା ଦାବିରେ ବଡ଼ସିରେଇପୁର ଗ୍ରାମବାସୀମାନେ ଦାବି ସହିତ ପ୍ରତିବାଦ କରିଛନ୍ତି।