ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ସଭାରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ଭିଜିଲାନ୍ସ ଅଫିସରଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା। ସାର୍ଥକ ସାରଙ୍ଗୀଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନର ପୁରସ୍କାର ମିଳିଥିବାବେଳେ ସଦାନନ୍ଦ ପାଣିଙ୍କୁ ରାଜ୍ୟ ଶ୍ରେଷ୍ଠ ଭିଜିଲାନ୍ସ ଇନ୍ଭେଷ୍ଟିଗେଟିଂ ଅଫିସରର, ଅନୁସୟା ସେନାପତିଙ୍କୁ ଶ୍ରେଷ୍ଠ ମହିଳା ଇନ୍ଭେଷ୍ଟିଗେଟିଂ ଅଫିସର, ଦିଲ୍ଲୀପ କୁମାର କର ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟି, ହେମନ୍ତ କୁମାର ସ୍ବାଇଁଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଆଇନଜୀବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଆୟୋଜିତ ହୋଇଥିବା ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ ଓ ୫ଟିର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଛନ୍ତି। ସେହିପରି ମୋ ସରକାର ଭିଜିଲାନ୍ସକୁ ସଶକ୍ତ କରିବା ପାଇଁ ବହୁତ ଗୁଡ଼ିଏ ପଦକ୍ଷେପ ନେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାଠାରେ ନୂତନ ଭିଜିଲାନ୍ସ କାର୍ଯ୍ୟାଳୟର ମଞ୍ଜୁର କରାଯାଇଛି। ଭିଜିଲାନ୍ସର ଉତ୍ତମ କାର୍ଯ୍ୟ ପାଇଁ ଭିଜିଲାନ୍ସକୁ ସ୍ବାଗତ କରିବା ସହିତ ଆଗାମୀ ଭବିଷ୍ୟତରେ ଭିଜିଲାନ୍ସର ଉତ୍ତମ କାର୍ଯ୍ୟ ଦକ୍ଷତା ଜାରି ରଖିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।