ସମୀକ୍ଷା ବ୍ୟୁରୋ
ପୁରୀ ସ୍ବର୍ଗଦ୍ବାରର ବିକାଶ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଫୋନିକ୍ସ ଫାଉଣ୍ଡେସନ୍ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ।
ଫନି ବାତ୍ୟା ପରେ ସ୍ବର୍ଗଦ୍ବାର ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ଏଠାରେ ବ୍ୟବସ୍ଥା କରାଯିବ। ଶବବାହକମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷଠାରୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ କରାଯିବ। ସେହିପରି ଅସ୍ଥି ସଂଗ୍ରହ ଏବଂ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଆସନ୍ତା ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ବର୍ଗଦ୍ବାରକୁ ବିଶ୍ବାସର ପବିତ୍ର ଭୂମି ଭାବରେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଫୋନିକ୍ସ ଫାଉଣ୍ଡେସନ୍ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।
ପୁରୀ ସ୍ବର୍ଗଦ୍ବାରରୁ ବିଜୁ ସମାଧି ହଟିବ ବୋଲି ସୂଚନା ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା । ନବୀନ ପଟ୍ଟନାୟକଙ୍କ ସ୍ବର୍ଗଦ୍ବାର ବିକାଶ ଘୋଷଣା ପରେ ଏହି ସୂଚନା ମିଳିଛି । କେବଳ ବିଜୁଙ୍କ ସ୍ମୃତି ଫଳକ ରହିବ । ସ୍ବର୍ଗଦ୍ବାର ସାଧାରଣ ଲୋକଙ୍କ ସେବାରେ ସମ୍ପୂର୍ଣ୍ଣ ସମର୍ପିତ ହେବ ବୋଲି ସୂଚନା ରହିଛି ।