ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କକରେ ଆୟୋଜିତ ଆଦିତ୍ୟ ବିର୍ଲାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ବିଷୟରେ ବର୍ଣ୍ଣନା କରିଛନ୍ତି। ମୋଦି କହିଛନ୍ତି ଯେ, ଭାରତ ବର୍ତ୍ତମାନ ୫ ଟ୍ରିଲିୟନ ଆମେରିକା ଡଲାରର ଅର୍ଥବ୍ୟବସ୍ଥାରେ ପହଁଚିବା ପାଇଁ ସ୍ୱପ୍ନ ଦେଖୁଛି। ୨୦୧୪ରେ ଯେତେବେଳେ ବିଜେପି ସରକାର ଆସିଲା ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ୨ ଟ୍ରିଲିୟନ ଡଲାର ଥିଲା। ଗତ ୫ ବର୍ଷରେ ଏହା ୩ ଟ୍ରିଲିୟନ ଡଲାରରେ ପହଁଚିପାରିଛି। ଏହି ବିଶ୍ୱାସକୁ ନେଇ ଦେଶର ସ୍ୱପ୍ନ ପୂରଣ ହେବ। ଭାରତରେ ଏବେ ବାଣିଜ୍ୟ କରିବା ସହଜ ହୋଇଛି। ଏପରିକି ବିଭିନ୍ନ ଟିକସକୁ ମଧ୍ୟ କମ କରାଯାଇଛି। ଦେଶ ଗତ ୫ ବର୍ଷରେ ଅନେକ ସଫଳତା ହାସଲ କରିଛି। ଏବେ ଭଲ ସମୟ ଚାଲିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ଭାରତ ଆଗକୁ ବଢେ, ବିଶ୍ୱ ମଧ୍ୟ ଆଗକୁ ବଢିଥାଏ। ଗତ ୫ ବର୍ଷ ମଧ୍ୟରେ ଭାରତ ୨୫୬ ବିଲିୟନ ଡଲାରର ଏଫଡିଆଇ ଲାଭ କରିଛି । ଯାହା ଗତ ୨୦ ବର୍ଷ ମଧ୍ୟରେ ସର୍ବାଧିକ। ଅନେକ ଏଜେନ୍ସିର ରେଟିଂରେ ଭାରତର ଅଭିବୃଦ୍ଧି ସ୍ଥାନ ପାଇଛି। ଭାରତ ଏଫଡିଆଇ ହାସଲ କରିଥିବା ଶୀର୍ଷ ୧୦ ଦେଶ ମଧ୍ୟରୁ ଅନ୍ୟତମ। ଗତ ୫ ବର୍ଷରେ ଭାରତ ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଂରେ ୭୯ ସ୍ଥାନ ଉପରକୁ ଉଠିଛି। ଭାରତରେ ଉନ୍ନତ ମାନବ ସମ୍ବଳ ରହିଛି। ବହୁତ ବଡ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ରହିଛି। ଏହା ଦେଶରେ ନିବେଶ କରିବାର ସଠିକ ସମୟ। ନିବେଶ ହେଲେ ଥାଇଲାଣ୍ଡ ଓ ଭାରତ ମଧ୍ୟରେ ଆର୍ଥିକ ଭାଗିଦାରୀ ବୃଦ୍ଧି ପାଇବ। ଦେଶ ଥାଇଲାଣ୍ଡ ନିବେଶକଙ୍କୁ ମୁକ୍ତ ବାହୁରେ ସ୍ୱାଗତ କରିବ ବୋଲି ମୋଦି କହିଛନ୍ତି।