ସମୀକ୍ଷା ବ୍ୟୁରୋ
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅନିଶ୍ଚିତତା ତଥା ଛକାପଞ୍ଝା ଚାଲିଥିବାବେଳେ ଶିବସେନା ଓ ଏନ୍ସିପିର ମେସେଜ୍ ରାଜନୀତି ଏହି ବିଷୟକୁ ଆହୁରି ସରଗରମ କରୁଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ନେତା ଅଜିତ୍ ପାଓ୍ବାର କହିଛନ୍ତି ଯେ, ଶିବସେନାର ସଞ୍ଜୟ ରାଉତ ତାଙ୍କୁ ମେସେଜ୍ ପଠାଇଛନ୍ତି । ସଞ୍ଜୟ ରାଉତ ‘ଜୟ ମହାରାଷ୍ଟ୍ର’ର ଏକ ବାର୍ତ୍ତା ପଠାଇଛନ୍ତି । ସଞ୍ଜୟ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଥିବାବେଳେ ଏବେ ଏନ୍ସିପିକୁ ମେସେଜ୍ ପଠାଇବା ନେଇ ନୂତନ ରାଜନୈତିକ ସମୀକରଣର ଆଭାସ ମିଳୁଛି । ଆସନ୍ତାକାଲି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଆଲୋଚନା କରାଯିବ । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇଥିବାବେଳେ କଂଗ୍ରେସ – ଏନ୍ସିପି ମଧ୍ୟ ମେଣ୍ଟ ହୋଇ ନିର୍ବାଚନ ମଇଦାନରେ ରହିଥିଲେ। ନିର୍ବାଚନରେ ବିଜେପି-ଶିବସେନା ବହୁମତ ପାଇଥିବାବେଳେ ଏହି ମେଣ୍ଟ ଭିତରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ବିବାଦ ଦେଖାଦେଇଛି। ଯାହାଫଳରେ ବିଜେପି ବହୁମତ ପାଇ ମଧ୍ୟ ସରକାର ଗଠନ କରିପାରୁନାହିଁ । ବିଜେପି ମ୍ୟାଜିକ୍ ନମ୍ବରଠାରୁ ବହୁ ଦୂରରେ ଥିବାବେଳେ ନିଜ ଜିଦ୍କୁ ଧରି ଅଡି ବସିଛି ଶିବସେନା। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏକପ୍ରକାର ଦ୍ବନ୍ଦ୍ବ ଚାଲିଥିବାବେଳେ ଶିବସେନା–ଏନସିପିର ମେସେଜ୍ ପଲିଟିକ୍ସ ଏକ ନୂଆ ଟୁଇଷ୍ଟ ସୃଷ୍ଟି କରୁଛି ।