ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ଯିବା ପାଇଁ ଜିଦ୍ ଧରି ବସିଛନ୍ତି । ଏଥିପାଇଁ ଗୁରୁବାର ବିଦେଶ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କରତ୍ତାରପୁର କରିଡର ସମାରୋହରେ ସାମିଲ ହେବାକୁ ପାକିସ୍ତାନ ଯିବା ପାଇଁ ସେ ଅନୁମତି ମାଗିଛନ୍ତି। ସୂଚନାଯୋଗ୍ୟ, କରତ୍ତାରପୁର କରିଡର ସମାରୋହ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଥିଲେ। ପୂର୍ବରୁ ଏନେଇ ବୈଦେଶିକ ମନ୍ତ୍ରୀ ଏ.ସ୍ ଜୟଶଙ୍କରଙ୍କୁ ସିଦ୍ଧୁ ଚିଠି ଲେଖିଥିବା ବେଳେ କୌଣସି ଜବାବ ମିଳି ନ ଥିଲା। ତେବେ ତୃତୀୟ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଉଦ୍ଘାଟନରେ ଯିବା ପାଇଁ ବାରମ୍ବାର ସରକାରଙ୍କୁ ଅବଗତ କରାଇଥିବା ବେଳେ ତାଙ୍କ ପକ୍ଷରୁ କୌଣସି ଜବାବ ଆସୁନାହିଁ। ସେ ଉଦ୍ଘାଟନରେ ସାମିଲ ହେବେ ନା ନାହିଁ ସେନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି ସରକାର ଚିଠିର କୌଣସି ଉତ୍ତର ନ ଦେବେ, ତେବେ ଜଣେ ଶିଖ୍ ଶ୍ରଦ୍ଧାଳୁଙ୍କ ଭଳି ପାକିସ୍ତାନ ଯିବେ ବୋଲି ସିଦ୍ଧୁ କହିଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୯ରେ କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଛି।