ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ବର୍ଷିୟାନ୍ ନେତାଙ୍କୁ ନିସ୍ୱାର୍ଥ ଏବଂ ପରିଶ୍ରମୀ କହି ପ୍ରଶଂସା କରି କହିଛନ୍ତି କି, ଦେଶର ରାଜନୀତିରେ ତାଙ୍କ ପ୍ରଭାବ ଅମାପ । ନିଜର ଆଦର୍ଶ ସହତ ଆଡଭାନୀ କଦାପି ସାଲିସ କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି । ଏହା ସହିତ ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି । ନଭେମ୍ବର ୮ ତାରିଖ ୧୯୨୭ରେ ଜନ୍ମିତ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭାତରୀୟ ଜନତା ପାର୍ଟିର ଅନ୍ୟତମ ସହ-ସଂସ୍ଥାପକ ଏବଂ ବରିଷ୍ଠ ନେତା । ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଅଧୀନରେ ୨୦୦୨ ରୁ ୨୦୦୪ ଯାଏଁ ସେ ଉପ ପ୍ରଧାନମନ୍ତ୍ରୀ ଥିଲେ । ୨୦୧୫ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।