ବିମୁଦ୍ରାକରଣର ତୃତୀୟ ବର୍ଷ ପୂରଣ ଅବସରରେ ଏହାକୁ ସମାଲୋଚନା କରିଛନ୍ତି ବିଭିନ୍ନ ବିପକ୍ଷ ରାଜନୈତିକ ନେତା । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ସମାଲୋଚନା କରିଛନ୍ତି । ବିମୁଦ୍ରାକରଣକୁ ଆତଙ୍କବାଦୀ ଆକ୍ରମଣ ସହିତ ତୁଳନା କରିଛନ୍ତି ରାହୁଲ ଗାନ୍ଧୀ । ଟ୍ବିଟ୍ଟର ଜରିଆରେ ମୋଦି ସରକାରକୁ ସମାଲୋଚନା କରିଛନ୍ତି ରାହୁଲ । ରାହୁଲ କହିଛନ୍ତି, ବିମୁଦ୍ରାକରଣକୁ ଆଜି ତିନି ବର୍ଷ ପୁରିଛି । ଏହାର ପ୍ରଭାବରେ ଭାରତୀୟ ଅର୍ଥନୀତି ଆଜି ଧରାଶାୟୀ, ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟ ନଷ୍ଟ ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ଯୁବକ ବେକାର ବସି ରହିଛନ୍ତି ବୋଲି ରାହୁଲ ଟ୍ବିଟ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିମୁଦ୍ରାକରଣକୁ ସମାଲୋଚନା କରିଛନ୍ତି । ମୋଦି ସରକାରଙ୍କ ସମସ୍ତ ନିଷ୍ପତ୍ତି ଭାରତୀୟ ଅର୍ଥନୀତିକୁ ରସାତଳଗାମୀ କରିଛି । ମାତ୍ର ନିଜର ବିଫଳତାକୁ କେହିବି ସ୍ବୀକାର କରୁନାହାନ୍ତି । ଜନସାଧାରଣଙ୍କ ନିକଟରେ ମୋଦି ସରକାରଙ୍କୁ ଜବାବ ରଖିବାକୁ ପଡିବ ବୋଲି ପ୍ରିୟଙ୍କା କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ପରିଣାମ ଜଣାଥିଲେ ମଧ୍ୟ ମୋଦି ସରକାର ବିମୁଦ୍ରାକରଣ କରି ସାଧାରଣ ଲୋକଙ୍କ ଜୀବନ ଜୀବୀକା ନଷ୍ଟ କରିଛନ୍ତି ବୋଲି ମମତା କହିଛନ୍ତି । ବିଭିନ୍ନ ଅର୍ଥନୀତିଜ୍ଞ, ସାଧାରଣ ଲୋକ ଏବଂ ଆରବିଆଇ ପକ୍ଷରୁ ବିମୁଦ୍ରାକରଣକୁ ସମାଲୋଚନା କରାଯାଇଥିବା ପ୍ରକାଶ କରିଛନ୍ତି ମମତା ।