ଭାରତୀୟ ନ୍ୟାୟାଳୟ ଇତିହାସର ଦ୍ବିତୀୟ ଦୀର୍ଘ ମାମଲାର ଆଜି ଶୁଣାଣି ହୋଇଯାଇଛି । ଦୀର୍ଘ ୭୦ ବର୍ଷ ଧରି ଚାଲିଥିବା ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଆଜି ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟ ପକ୍ଷରୁ ବହୁ ପ୍ରତୀକ୍ଷିତ ରାୟ ଆସିଛି। ନିର୍ଣ୍ଣୟ ଆସିବା ପରେ ରାମଜନ୍ମ ଭୂମି-ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ସ୍ଵାଗତ କରିଛି। ଦିଲ୍ଲୀସ୍ଥିତ ଜାମା ମସଜିଦ୍ର ଶାହୀ ଇମାମ ସୈୟଦ୍ ଅହମ୍ମଦ ବୁଖାରୀ କହିଛନ୍ତି ଯେ, ଅଯୋଧ୍ୟା ମାମଲାକୁ ଆଉ ଆଗକୁ ବଢାଯିବା ଉଚିତ୍ ନୁହେଁ ଏବଂ ଏଥି ସହିତ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ପୁର୍ନବିଚାର ଯାଚିକା ଦାଏର କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ସେହିପରି ବାବ୍ରି ମସଜିଦ ବିବାଦର ପକ୍ଷକାର ସୁନ୍ନି ଓ୍ଵାକଫ ବୋର୍ଡ ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ନାହିଁ ବୋଲି ସ୍ପଷ୍ଟ କରି ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି ଯେ, ନ୍ୟାୟାଳୟର ନିର୍ଣ୍ଣୟକୁ ଆମେ ସ୍ଵାଗତ କରୁଛୁ ଓ ବୋର୍ଡ ଏହି ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ଯାଚିକା ଦାୟର କରିବ ନାହିଁ। ଫାରୁକି କହିଛନ୍ତି ଯେ, ବୋର୍ଡର ସଦସ୍ୟଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଯେ ୫ ଏକର ଜମି ଗ୍ରହଣ କରାଯିବ ନା ନାହିଁ। ଆମ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନ୍ୟ ଅଟେ। ରାୟ ପୂର୍ବରୁ ସବୁ ପକ୍ଷ କହିଥିଲେ ଯେ, ଯାହା ବି ରାୟ ଆସିବ ଆମେ ତାକୁ ସ୍ଵୀକାର କରିବୁ। ତେଣୁ ଏବେ ଯଦି କୌଣସି ପୁନର୍ବିଚାର ଯାଚିକା ଦାୟର କରାଯାଏ ତେବେ ଏହା ଭୁଲ ହେବ। ସିଆ ଧର୍ମଗୁରୁ ମୌଲାନା କଲଭେ ଜଓ୍ଵାଦ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମଧ୍ୟ ସ୍ଵାଗତ କରିଛନ୍ତି।