ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ଉଚ୍ଚତମ ନ୍ୟାୟାଳୟଙ୍କ ଐତିହାସିକ ନିଷ୍ପତ୍ତି ପରେ ଶନିବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟା ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ପଛରେ ରହିଛି କେଇ ଶହ ବର୍ଷର ଇତିହାସ। ବିଗତ କିଛି ବର୍ଷ ଧରି ଚାଲିଆସିଥିବା ଏହି ନ୍ୟାୟିକା ପ୍ରକ୍ରିୟାର ଆଜି ସମାପନ ହୋଇଛି। ଦୁନିଆ ମାନିଛି ଯେ, ଭାରତ ଦୁନିଆର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶ। ଅଯୋଧ୍ୟା ନିଷ୍ପତ୍ତିକୁ ଯେପରି ଭାବରେ ସବୁ ବର୍ଗର ଲୋକେ ହୃଦୟର ସହ ଯେପରି ଭାବରେ ଅଯୋଧ୍ୟା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, ସେଥିରୁ ଆମ ଭାରତର ପରମ୍ପରା ଜଣାପଡୁଛି। ଦେଶ ପାଇଁ ଖୁସିର କଥା ହେଉଛି ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଆସିଛି। ଆଜି ହେଉଛି ୯ ନଭେମ୍ବର । ଆଜିର ତାରିଖରେ ବର୍ଲିନ୍ର ପାଚେରୀ ଭାଙ୍ଗିଥିଲା। ଦୁଇ ବିପରୀତ ଧାରା ଏକଜୁଟ୍ ହୋଇ ନୂତନ ସଂକଳ୍ପ ନେଇଥିଲେ। ଆଜିର ତାରିଖରେ କରତାରପୁର କରିଡରର ଆରମ୍ଭ ହୋଇଛି, ଯେଉଁଥିରେ ଭାରତ ଓ ପାକିସ୍ତାନର ଯୋଗଦାନ ରହିଛି । ଏହି ତାରିଖ ଆମକୁ ମିଶି କରି ଆଗକୁ ବଢିବାକୁ ବାର୍ତ୍ତା ଦେଉଛି । ଆଜିର ତାରିଖ ନୂତନ ସନ୍ଦେଶ ଦେଇ କହୁଛି ଯେ, କଟୁତାର କୌଣସି ସ୍ଥାନ ନାହିଁ। ସବୁ ସମୟରେ ଧୈର୍ଯ୍ୟ ରଖିବା ଜରୁରୀ। ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଆମକୁ ନୂତନ ସକାଳ ଦେଇଛି । ଏହି ବିବାଦ କାହିଁ କେତେ ପିଢି ଉପରେ ପ୍ରଭାବ ପକାଇଛି । କିନ୍ତୁ ଆମେ ଆଜି ନୂତନ ସଂକଳ୍ପ ନେବା ନୂତନ ଭାରତ ନିର୍ମାଣ କରିବା ପାଇଁ। ଆମେ ସମସ୍ତଙ୍କୁ ସାଥୀରେ ନେଇ ସମସ୍ତଙ୍କ ବିଶ୍ବାସ ହାସଲ କରି ଆଗକୁ ବଢିବା। ରାମ ମନ୍ଦିର ନିର୍ମାଣ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି, ଏବେ ଦେଶର ସମସ୍ତ ନାଗରିକ ରାଷ୍ଟ୍ର ନିର୍ମାଣ ଦିଗରେ ବଢିବା ଉଚିତ୍। ଅଯୋଧ୍ୟା ରାୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଥିଲେ ଯେ, ‘ଅଯୋଧ୍ୟା ମାମଲା ଉପରେ ସୁପ୍ରିମ୍କୋର୍ଟ ଯାହା ବି ନିଷ୍ପତ୍ତି ନେବେ, ତାହା କାହାକୁ ବିଜୟ ବା ପରାଜୟ ପାଇଁ ନୁହେଁ। ଦେଶବାସୀଙ୍କୁ ଶାନ୍ତି , ଏକତା ଓ ସଦ୍ଭାବନା ରଖିବାକୁ ଅପିଲ୍ କରିଥିଲେ । ଉଚ୍ଚତମ ନ୍ୟାୟାଳୟ ବିବାଦୀୟ ସ୍ଥଳରେ ଅଯୋଧ୍ୟା ମନ୍ଦିର ନିର୍ମାଣ ହେବ ବୋଲି ନିଷ୍ପତ୍ତି ଦେଇଥିବାବେଳେ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାରେ ୫ ଏକର ଜମି ଦେବାକୁ ରାୟ ଦେଇଛନ୍ତି ।