ସମୀକ୍ଷା ବ୍ୟୁରୋ
କଟକ: ଜଣେ ଶିଶୁର ମୃତ୍ୟୁକୁ ନେଇ ଆଜି କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ । ସୂଚନା ଅନୁଯାୟୀ, ଗତକାଲି ସିଡିଏ ସେକ୍ଟର 6 ସ୍ଥିତ ହଇରାଣ ବସ୍ତିର 3 ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା । ଡାକ୍ତରଖାନା ନିଆଯିବା ପରେ ଅବସ୍ଥା ସାଧାରଣ ଥିବା କହି ଡାକ୍ତର ଘରକୁ ପଠାଇ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବାନ୍ତି ହେବା ସହିତ ଶିଶୁଟି ମୃତ୍ୟୁବରଣ କରିଥିଲା । ଡାକ୍ତରଙ୍କ ଅବହେଳା ଅଭିଯୋଗ କରି ଆଜି ସକାଳୁ ପରିବାର ଲୋକ କାଜୁଆଲିଟି ବିଭାଗରେ ତାଲା ପକାଇ ଦେଇଥିଲେ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିବା ପରେ ମେଡିକାଲ୍ ଫାଣ୍ଡି ପୁଲିସ୍ ଓ ମଙ୍ଗଳାବାଗ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ।