ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟ ସରକାର ଗଠନରେ ବିଫଳ ହେବା ପରେ ବିକଳ୍ପ ମେଣ୍ଟ ନେଇ ଏନ୍ସିପି ପକ୍ଷରୁ ସୂଚନା ଦିଆଯାଇଛି । ଏନ୍ସିପି ନେତା ନଓ୍ବାବ ମଲ୍ଲିକ୍ ରବିବାର ଏହି ସୂଚନା ଦେଇଛନ୍ତି । ମଲ୍ଲିକ୍ କହିଛନ୍ତି, ଶିବ ସେନା ବିଜେପିକୁ ସମର୍ଥନ ପ୍ରଦାନ ନକଲେ ଏନ୍ସିପି ପକ୍ଷରୁ ଶିବସେନା ସହିତ ମିଶି ସରକାର ଗଠନର ଅନ୍ୟ ବିକଳ୍ପ ଉପରେ ଆଲୋଚନା କରାଯିବ । ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରେ ଏନ୍ସିପି ପକ୍ଷରୁ ଏହି ମତ ପ୍ରକାଶ ପାଇଛି । କଂଗ୍ରେସ ଶିବସେନା ସହିତ ମେଣ୍ଟ କରିବା ନେଇ ସ୍ପଷ୍ଟ ଭାବରେ ମନା କରିଥିଲେ ମଧ୍ୟ ଏନ୍ସିପି ମେଣ୍ଟ ନେଇ ଆଶାବାଦୀ ରହିଛି । ନଭେମ୍ବର 11ରେ ବିଜେପିର ଶକ୍ତି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ 12 ତାରିଖରେ ଶରଦ ପଓ୍ବାରଙ୍କ ସଭାପତିତ୍ବରେ ଏନ୍ସିପି ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହେବ ବୋଲି ନଓ୍ବାବ ମଲ୍ଲିକ୍ ସୂଚନା ଦେଇଛନ୍ତି ।