ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: 5ଟି ସଚିବ ଭି.କେ ପାଣ୍ଡିୟାନ ଖୁବ ଶିଘ୍ର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ତଦାରଖରେ ଯିବେ ବୋଲି ଜଣାପଡିଛି। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ବର୍ତ୍ତମାନ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ସେଠାରୁ ଫେରିବା ପରେ ଏହି ଗସ୍ତ ସଂପର୍କରେ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି। ବର୍ତ୍ତମାନ 5ଟି ଅଧିନରେ ସ୍ବାସ୍ଥ୍ୟ ବିଭାଗକୁ ସଜାଡିବା କାମରେ ଲାଗିଛନ୍ତି ସଚିବ ଭି.କେ ପାଣ୍ଡିୟାନ। ବିଭିନ୍ନ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟ କାରିତା ଉପରେ ଅନୁଧ୍ୟାନ କରି ପଦକ୍ଷେପ ନେଇଛନ୍ତି। ତେବେ ଭୁବନେଶ୍ବରର ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ଅବସ୍ଥା କଣ ରହିଛି ତାହାର ତଦାରଖ ହେବା ନିହାତି ଆବଶ୍ୟକ। ସେଥିପାଇଁ ପାଣ୍ଡିୟାନ ଏହି ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି। ଭୁବନେଶ୍ବରର ନିକଟସ୍ଥ ହସପିଟାଲଗୁଡିକର ଅବସ୍ଥା ଭଲ ନାହିଁ ବୋଲି କୁଆଡେ ବିଭିନ୍ନ ଅଭିଯୋଗ ଆସିଛି। ଏପରିକି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ହସପିଟାଲ କର୍ମଚାରୀମାନେ ହସପିଟାଲ ପରିସରରେ ନ ରହି ଭୁବନେଶ୍ବରରୁ ଯିବା ଆସିବା କରୁଛନ୍ତି। ଏପରିକି ଖୋର୍ଦ୍ଧା ସିଡିଏମଓଙ୍କ ଅଧିନର ଥିବା ଅନ୍ୟ ଡାକ୍ତରଖାନାଗୁଡିକର ଅବସ୍ଥା ମଧ୍ୟ ଭଲ ନାହିଁ। ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାର କେତେ ହସପିଟାଲ ଅଛି ତାହାର ତାଲିକା ମଗାଯାଇ କେଉଁଠାରେ କେତେ କର୍ମଚାରୀ ଅଛନ୍ତି ତାହାର ହିସାବ କରାଯାଉଛି।କେଉଁଠି ଅବହେଳା ବା ଅପରିସ୍କାର ପରିଲକ୍ଷିତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି। ନୂଆଦିଲ୍ଲୀରୁ ସଚିବ ପାଣ୍ଡିୟାନ ଆସିବା ପରେ ଖୋର୍ଦ୍ଧା ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହେବ।