ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟି 20 ମୁକାବିଲାରେ ବିଜୟୀ ହେବା ସହିତ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଉପରେ କବ୍ଜା କରି ନେଇଛି ଇଂଲଣ୍ଡ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ଟି ଟାଇ ରହିଥିବା ବେଳେ ସୁପର ଓଭରରେ ଇଂଲଣ୍ଡ ବିଜୟୀ ହୋଇଥିଲା । ବର୍ଷା କାରଣରୁ ମ୍ୟାଚ୍କୁ 11 ଓଭରକୁ ହ୍ରାସ କରାଯାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 5 ଓ୍ବିକେଟ୍ ହରାଇ 147 ରନ୍ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ମଧ୍ୟ ସମାନ ଓଭରରେ 7 ଓ୍ବିକେଟ ହରାଇ 147 ରନ୍ ସଂଗ୍ରହ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମାର୍ଟିନ୍ ଗୁପ୍ତିଲ୍(50), କଲିନ୍ ମୁନ୍ରୋ(46) ଏବଂ ଟିମ୍ ରେଫିଟ୍(39) ରନ୍ ସଂଗ୍ରହ କରିଥିଲେ । ଜବାବରେ ଇଂଲଣ୍ଡ ପକ୍ଷରୁ ଜନି ବେୟାରାଷ୍ଟୋ(47) ରନ୍ ସଂଗ୍ରହ କରିଥିବା ବେଳେ ସାମ୍ କୁରାନ୍ 24 ରନ୍ ସଂଗ୍ରହ କରିଥିଲେ । ଅନ୍ତିମ ତିନି ବଲ୍ରେ 13 ରନ୍ ଆବଶ୍ୟକ ଥିବା ବେଳେ ଜୋର୍ଡାନ୍ 12 ରନ୍ ସଂଗ୍ରହ କରିବାରୁ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା । ସୁପର ଓଭରରେ ଇଂଲଣ୍ଡ 17 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମାତ୍ର 8 ରନ୍ ସଂଗ୍ରହ କରିଥିଲା । ଜନି ବାୟେରେଷ୍ଟୋଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଏବଂ ମିଚେଲ ସାଣ୍ଟନରଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ଘୋଷଣା କରାଯାଇଥିଲା ।