ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଶିବସେନା ମଧ୍ୟରେ ରହିଥିବା ୩୦ ବର୍ଷର ପୁରୁଣା ସମ୍ପର୍କ ତୁଟିଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ସହମତ ନ ହେବାରୁ ଶିବସେନା ଓ ବିଜେପି ଦୁହେଁ ଅଲଗା ହୋଇଯାଇଛନ୍ତି । ସରକାର ଗଠନ ପାଇଁ ଶିବସେନା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ଙ୍କ ସର୍ତ୍ତକୁ ମାନି ନେଇ ବିଜେପି ସହିତ ମେଣ୍ଟ ଭାଙ୍ଗିଛନ୍ତି । ମେଣ୍ଟ ଭାଙ୍ଗିବା ପରେ ଶିବସେନା ତରଫରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ଥିବା ମନ୍ତ୍ର ଅରବିନ୍ଦ ସାଓ୍ବନ୍ତ ଆଜି ଇସ୍ତଫା ଦେଇଛନ୍ତି । ଶିବସେନା ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ କ୍ଷମତାର ଭାଗବଣ୍ଟାକୁ ନେଇ ଫର୍ମୁଲା ନିର୍ଣ୍ଣୟ କରାଯାଇଥିଲା । କିନ୍ତୁ ଏହି ଫର୍ମୁଲାକୁ ବିଜେପି ଗ୍ରହଣ କରିନାହିଁ । ମହାରାଷ୍ଟ୍ରରେ ବିଜେପି ମିଛର ମାହୋଲ୍ ବନାଇଛି । ଶିବସେନା ସର୍ବାଦା ସତ୍ୟର ପକ୍ଷରେ ରହିଛି । ଏହି ସମୟରେ କୌଣସି ମିଛ ମାହୋଲ୍ରେ ରହିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଅରବିନ୍ଦ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଭାରିଶିଳ୍ପ ଓ ସାଧାରଣ ଉଦ୍ୟୋଗର ମନ୍ତ୍ରୀ ରହିଥିଲେ ।