ମହାରାଷ୍ଟ୍ର ରାଜନୀତିରେ ଏବେ ନାଟକୀୟ ମୋଡ଼ ଘଟିଛି। ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଦ୍ବିତୀୟ ବହୁମତ ଦଳ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏବେ ଶିବସେନା ଏନ୍ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଯାଉଛି । କେନ୍ଦ୍ରରେ ରହିଥିବା ଶିବସେନାର ମନ୍ତ୍ରୀ ଅରବିନ୍ଦ ରାଉତ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇ ସାରି ବିଜେପି ସହିତ ଥିବା ୩୦ ବର୍ଷର ସମ୍ପର୍କରେ ଭଟ୍ଟା ପଡ଼ିଯାଇଛି ବୋଲି ପ୍ରମାଣ କରିଦେଇଛନ୍ତି । ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ କସରତ ଜାରି ରଖିଥିବାବେଳେ ବିଜେପିକୁ ଟାର୍ଗେଟ କରିଛି । ଶିବସେନା ଅଭିଯୋଗ କରିଛି ଯେ, ବିଜେପିକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ୭୨ ଘଣ୍ଟାର ସମୟ ମିଳିଥିବାବେଳେ ତାକୁ କମ୍ ସମୟ ମିଳିଛି। ଯଦି ତାକୁ ଅଧିକ ସମୟ ମିଳି ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା। ବିଜେପି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଷଡଯନ୍ତ୍ର ଚଲାଇଛି ବୋଲି ଅଭିଯୋଗ କରିଛି ଶିବସେନାର ନେତା ସଞ୍ଜୟ ରାଉତ।