ମହାରାଷ୍ଟ୍ର ସରକାରକୁ ନେଇ ଚାଲିଥିବା ଘଟଣାକ୍ରମରେ ପୁଣିଥରେ ଏକ ନୂଆ ମୋଡ ଆସିଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଦ୍ବିତୀୟ ସଂଖ୍ୟା ଗରିଷ୍ଠ ଭାବେ ଶିବସେନାକୁ ସରକାର ଗଠନ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ୨୪ ଘଣ୍ଟାର ସମୟସୀମା ମଧ୍ୟରେ ବହୁମତ ସାବ୍ୟସ୍ତ କରି ନପାରିବାରୁ ଶିବସେନା ହାତରୁ ଏହି ସରକାର ଗଢିବାର ଅଫର୍ ଖସି ଆସି ତୃତୀୟ ସଂଖ୍ୟା ଗରିଷ୍ଠ ଦଳ ଭାବେ ଏନ୍ସିପି ପାଖରେ ପହଞ୍ଚିଛି । ଏନ୍ସିପିକୁ ମଧ୍ୟ ୨୪ ଘଣ୍ଟାର ମହଲତ ଦିଆଯାଇଛି । ତେବେ ଏନସିପି ରାଜ୍ୟରେସରକାର ଗଢିବାକୁ କସରତ ଚଳାଇଥିବାବେଳେ ଏବେ ଏଥିରେ ନୂଆ ପେଞ୍ଚ ଦେଖିବାକୁ ମିଳିଛି । ଏନ୍ସିପି ଏକାକୀ ସରକାର ଗଢିବାକୁ ଅସମର୍ଥ । ଏଥିପାଇଁ ତାଙ୍କୁ ଶିବସେନା ଓ କଂଗ୍ରେସର ସହଯୋଗ ଆବଶ୍ୟକ । ଶିବସେନା ଯେଉଁ ୫୦-୫୦ ଫର୍ମୁଲା ପାଇଁ ୩୦ ବର୍ଷର ସମ୍ପର୍କକୁ ଛିନ୍ନ କଲା । ପୁଣି ଥରେ ସେଇ ୫୦- ୫୦ ଫର୍ମୁଲା ଭିତରେ ଫଶିଯାଇଛି । ଏନ୍ସିପି ଶିବସେନାକୁ ୫୦-୫୦ ଫର୍ମୁଲାର ଅଫର୍ ଦେଇଛି । ସୂଚନାଯୋଗ୍ୟ, ଶିବସେନା ୫୬ଟି ଆସନ ଜିତିଥିବାବେଳେ ଏନ୍ସିପି ୫୪ଟି ଆସନ ଜିତିଛି । ଦେଖିବାକୁ ଗଲେ ମାତ୍ର ଦୁଇଟି ଆସନ କମ୍ରେ ରହିଛି ଏନ୍ସିପି ।