କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ସ୍ମୃତି, ଐତିହ୍ୟ ଓ ପରମ୍ପରାରର ପ୍ରତୀକ ହେଉଛି କଟକର ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମାଠାରୁ ବାଲିଯାତ୍ରା ଆରମ୍ଭ ହୁଏ । କଟକ ମହାନଦୀ ପଠାରେ ସାଧବ ସଂସ୍କୃତିକୁ ମନେ ପକାଇ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଏହା ଆଜିଠାରୁ ଆସନ୍ତା ୧୯ ତାରିଖ ଯାଏଁ ଚାଲିବ । କଟକର ବାଲିଯାତ୍ରା ଉତ୍ସବକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରିବେ । ଚଳିତ ଥର ବାଲିଯାତ୍ରାରେ ୪ଟି ମଂଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଯୋଗ ଦେବେ । ଏଥର ବାଲିଯାତ୍ରାକୁ ନିଆରା କରିବା ପାଇଁ ରିକ୍ସା, ପଥୋତ୍ସବ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ଆଦି ବିଭିନ୍ନ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ବ୍ୟବସାୟୀଙ୍କୁ ପରିଚୟପତ୍ର ମିଳିବା ସହିତ ଏଥିସହ ଏନଜିଟି ଗାଇଡ଼ ଲାଇନ ଅନୁସାରେ ପ୍ଲଟ୍ ଆବଣ୍ଟନ କରାଯାଇଛି । ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ସହ ନଦୀକୂଳ ସମେତ ସମ୍ପୂର୍ଣ୍ଣ ପଡ଼ିଆକୁ ବାଲିଯାତ୍ରା ସମୟରେ ଦୁଇଟି ସିଫ୍ଟରେ ସଫା କରାଯିବା ବୋଲି ସୂଚନା ରହିଛି ।